Categories: ଜାତୀୟ

ଅନ୍ତିମ ସଂସ୍କାରର ୭ ଦିନ ପରେ ଘରକୁ ଫେରିଲେ ଯୁବକ

ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା ରାଜସ୍ଥାନର ରାଜସାମନ୍ଦ ଜିଲାରେ ଘଟିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆରକେ ହସ୍ପିଟାଲରେ ଲିଭର ସମସ୍ୟା ଯୋଗୁ ଭର୍ତ୍ତି ହୋଇଥିଲେ ଓମକାର ଲାଲ ଗାଡୁଲିଆ। ସେ ଗତ ୧୧ ତାରିଖରେ କାହାକୁ କିଛି ନ ଜଣାଇ ହଠାତ୍‌ ହସ୍ପିଟାଲରୁ ପଳାଇଥିଲେ। ସେହି ଦିନ ଚିକିତ୍ସାଧୀନ ଅବସ୍ଥାରେ ଗୋବର୍ଦ୍ଧନ ପ୍ରଜାପତ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ମୃତ୍ୟୁର ୩ ଦିନ ପରେ ମଧ୍ୟ ମୃତଦେହ ଉପରେ କେହି ଅଧିକାର ସାବ୍ୟସ୍ତ କରି ନ ଥିଲେ। ଏଣୁ ମୃତକଙ୍କ ପରିଚୟ ପାଇଁ ମୃତଦେହର ଫଟୋ ଶେୟାର କରାଯାଇଥିଲା। ମେ’ ୧୫ରେ ମୃତଦେହ ଚିହ୍ନଟ କରିବା ପାଇଁ ଆସିଥିଲେ ୧୨ ଜଣ ଲୋକ। ମୃତଦେହର ଡାହାଣ ହାତରେ ଥିବା ଚିହ୍ନ ଦେଖି ମୃତଦେହ ଓମକାରଙ୍କ ପରିବାରବର୍ଗ ଦାବି କରିଥିଲେ। ତାଙ୍କ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ ବିନା ମୃତଦେହ ହସ୍ତାନ୍ତର କରିବାକୁ ଲିଖିତ ଆକାରରେ ନିବେଦନ କରାଯାଇଥିଲା। ୧୫ ତାରିଖରେ ଶବ ସଂସ୍କାର କରାଯାଇଥିଲା ବୋଲି କାନକ୍ରୋଲି ଥାନା ଅଧିକାରୀ ଯୋଗେନ୍ଦ୍ର ଭ୍ୟାସ କହିଛନ୍ତି।

କିନ୍ତୁ ୨୩ ତାରିଖରେ ଗାଡୁଲିଆ ଘରକୁ ଫେରିଆସିଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଶବ ସଂସ୍କାର କରାଯାଇଥିବା ମୃତଦେହର ପ୍ରକୃତ ନାମ ଥିଲା ଗୋବର୍ଦ୍ଧନ ପ୍ରଜାପତ। ଏହି ଘଟଣାରେ ପୋଲିସର କୌଣସି ଭୁଲ ନାହିଁ। ଉକ୍ତ ମୃତଦେହକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅଜ୍ଞାତ ଘୋଷଣା କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଦୋଷ ସ୍ବୀକାର କରିବା ସହ ନର୍ସିଂ ଷ୍ଟାଫ ଓ ମର୍ଚରି ଷ୍ଟାଫଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି ଘଟଣା ଘଟିଛି। ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆରକେ ହସ୍ପିଟାଲର ମୁଖ୍ୟ ମେଡିକାଲ ଅଫିସର ଲଲିତ ପୁରୋହିତ କହିଛନ୍ତି।

Share