Categories: ଜାତୀୟ

ମନ୍ତ୍ରୀ ପୁଅଙ୍କୁ ଘରେ ନ ପାଇ ନୋଟିସ ଝୁଲାଇ ଆସିଲା ପୋଲିସ

ଜୟପୁର,୧୬।୫: ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତଙ୍କ ବିରୋଧରେ ଜଣେ ୨୩ ବର୍ଷୀୟା ଯୁବତୀ ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସର ଏକ ୧୫ ଜଣିଆ ଟିମ୍‌ ତାଙ୍କୁ ଗିରଫ କରିବା ଲାଗି ଜୟପୁରରେ ପହଞ୍ଚତ୍ଥିଲା। ସହରରେ ଥିବା ମନ୍ତ୍ରୀଙ୍କ ଦୁଇଟି ବାସଭବନ ଖୋଜିବା ପରେ ରୋହିତଙ୍କୁ ନ ପାଇ ପୋଲିସ ଟିମ୍‌ ତାଙ୍କ ଘର ଆଗରେ ନୋଟିସ ଝୁଲାଇ ଫେରିଯାଇଛି। ମେ’ ୧୮ ସୁଦ୍ଧା ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।
ଯୁବତୀଙ୍କ ଅଭିଯୋଗ ମୁତାବକ, ମନ୍ତ୍ରୀଙ୍କ ପୁଅ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତବର୍ଷ ଜାନୁୟାରୀ ୮ରୁ ଚଳିତ ବର୍ଷ ଏପ୍ରିଲ ୧୭ ମଧ୍ୟରେ ଅନେକ ଥର ବଳାତ୍କାର କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଯୁବତୀଙ୍କ କହିବା ଅନୁଯାୟୀ ଫେସ୍‌ବୁକ୍‌ରୁ ରୋହିତ ଜୋଷୀଙ୍କ ସହ ତାଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ରୋହିତ ତାଙ୍କୁ ଅପହରଣ କରିବା ସହ ବ୍ଲାକ୍‌ମେଲ୍‌ କରିଥିବା ମଧ୍ୟ ଯୁବତୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

Share