Categories: ଖେଳ

ଗୁଜରାଟକୁ ହରାଇ ରାଜସ୍ଥାନ ଶୀର୍ଷରେ

ଅହମଦାବାଦ,୧୬।୪: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷ ଆଇପିଏଲର ୨୩ତମ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ୩ ଉଇକେଟରେ ବିଜୟୀ ହୋଇଛି। ଅଧିନାୟକ ସଞ୍ଜୁ ସାମସନ ଏବଂ ଶିମରନ୍‌ ହେଟମେରଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଏହି ବିଜୟ ଲକ୍ଷ୍ୟ ହାସଲ କରିଛି ରାଜସ୍ଥାନ । ଏହି ବିଜୟ ସହ ୮ ପଏଣ୍ଟ ପାଇ ରାଜସ୍ଥାନ ଟେବୁଲର ଶୀର୍ଷରେ ପହଞ୍ଚିଛି।

ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଗୁଜରାଟ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଗୁଜରାଟ ୭ ଉଇକେଟ ହରାଇ ୧୭୭ ରନ୍‌ କରିଥିଲା। ଫଳରେ ରାଜସ୍ଥାନ ପାଇଁ ୧୭୮ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା ଗୁଜରାଟ।

ବ୍ୟାଟିଂ କରିବାକୁ ଆସି ରାଜସ୍ଥାନ ପ୍ରାରମ୍ଭିକ ୪ ରନ୍‌ରେ ୨ଟି ଏବଂ ୫୫ ରନ୍‌ ମଧ୍ୟରେ ୪ଟି ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ହେଲେ ସଞ୍ଜୁ ସାମସନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଲକ୍ଷ୍ୟ ପଥରେ ଅଗ୍ରସର କରାଇଥିବା ବେଳେ ବିଜୟରେ ମୁଣ୍ଡି ମାରିଥିଲେ ହେଟମେର। ସାମସନ ୩୨ ବଲ୍‌ରୁ ୩ ଚୌକା ଓ ୬ ଛକା ସହାୟତାରେ ସର୍ବାଧିକ ୬୦ ରନ୍‌ କରିଥିଲେ। ହେଟମେର ୨୬ ବଲ୍‌ରୁ ୫୬ (୨ ଚୌକା, ୫ ଛକା) ରନ୍‌ରେ ଅପରାଜିତ ରହିଥିଲେ। ଏପରିକି ଦେବଦତ୍ତ ପଡ଼ିକାଲ ୨୬ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୩ ଉଇକେଟ ନେଇଥିବା ବେଳେ ରଶିଦ ଖାଁ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୁର୍‌ ଅହମଦ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share