Categories: ଜାତୀୟ

ରାଜସ୍ଥାନ ଝଡ଼ ଏବେ ପଞ୍ଜାବ ମୁହାଁ…

ନୂଆଦିଲ୍ଲୀ, ୧୩।୮: କଂଗ୍ରେସରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ନେଇ ଦେଖାଦେଇଥିବା ଝଡ଼ ଶାନ୍ତ ପଡ଼ିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ କୂଟନୀତି ଏବଂ ହାଇକମାଣ୍ଡଙ୍କ ଚତୁରତା ଯୋଗୁ ସଚିନ୍‌ ଗେହଲଟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। କିନ୍ତୁ ଏବେ ରାଜସ୍ଥାନର ଝଡ଼ ପଞ୍ଜାବ ମୁହାଁ ହେବାରେ ଲାଗିଛି। ପଞ୍ଜାବରେ ଘଟିଥିବା ମଦମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ କଂଗ୍ରେସ ସଦସ୍ୟମାନେ ବିରୋଧ କରୁଛନ୍ତି। ଏଥିରେ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ପ୍ରତାପ ସିଂ ବାଜଓ୍ବା ଏବଂ ଶମଶେର ସିଂ ଦୁଲୋ ଆଗଧାଡ଼ିରେ ରହିଛନ୍ତି। ରାଜ୍ୟର ମାମଲା ଏବେ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଛି। ଏହାକୁ ନେଇ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହାର ସମାଧାନର ପଥ ଖୋଜୁଛନ୍ତି। ରାଜ୍ୟକୁ ମଦମୁକ୍ତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ ସମୟରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନ ଥିବା ବାଜଓ୍ବା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସମେତ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଝାଖଡ଼ଙ୍କୁ ହଟାଇବା ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତିି। ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ଆଖି ରହିଛି।

Share