Categories: ଜାତୀୟ

ଜମିବାଡି ବିବାଦ: ପୁରୋହିତଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଜୟପୁର,୯।୧୦-ରାଜସ୍ଥାନର କରୌଲି ଜିଲାରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ପୁରୋହିତଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବାବୁଲାଲ ବୈଷ୍ଣବ(୫୦)। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କୈଳାଶ ମୀନା। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ପୋଲିସ କହିଛି, ବାବୁଲାଲ ଏବଂ ତାଙ୍କ ପରିବାର ବୁକନା ଗ୍ରାମରେ ଥିବା ଏକ ରାଧା କୃଷ୍ଣ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ। ଗତ ଗୁରୁବାର କୈଳାଶଙ୍କ ସମେତ କିଛି ଲୋକ ଆସି ଉକ୍ତ ଜମିକୁ ଜବରଦଖଲଲ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାବୁଲାଲ ଏହାର ବିରୋଧ କରିଥିଲ। ପରେ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜୟପୁରର ଏସଏମଏସ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅପରପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ଟୁଇଟ କରି କହିଛନ୍ତି: ବାବୁଲାଲ ବୈଷ୍ଣବଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ରାଜ୍ୟ ସରକାର ମୃତକଙ୍କ ପରିବାର ସହ ଅଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ।

Share