Categories: ଜାତୀୟ

ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ରାଜଧାନୀ ଏକ୍ସପ୍ରେସ୍‌

ରାଞ୍ଚି,୪।୯: ଜଣେ ଯୁବତୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ରେଲଓ୍ବେ। ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍‌ ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଡାଲଟନଗଞ୍ଜରୁ ରାଞ୍ଚି ଯାତ୍ରା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଡାଲଟନଗଞ୍ଜରେ ଆନ୍ଦୋଳନ କାରଣରୁ କିଛି ଟ୍ରେନ୍‌କୁ ଅଟକାଇବାକୁ ପଡିଥିଲା। ଏହାପରେ ରାଜଧାନୀ ଏକ୍ସପ୍ରେସ୍‌ରେ ଥିବା ପ୍ରାୟ୯୩୦ ଜଣ ଯାତ୍ରୀଙ୍କୁ ବସ୍‌ ଯୋଗେ ରାଞ୍ଚି ପଠାଇ ଦିଆଯାଇଥିଲା। ହେଲେ ଟ୍ରେନ୍‌ରେ ବସିଥିବା ଜଣେ ଯୁବତୀ ବସ୍‌ରେ ଯାତ୍ରା କରିବାକୁ ମନା କରି ଦେଇଥିଲେ। ତାଙ୍କର ଯୁକ୍ତିଥିଲା କି ବସ୍‌ରେ ଯାତ୍ରା କରିବାର ଥିଲେ ମୁଁ ବସ୍‌ ଟିକେଟ କରି ଥାଆନ୍ତି ଟ୍ରେନ୍‌ ଟିକେଟ କରିଛି ଅର୍ଥ ମୁଁ ଟ୍ରେନରେ ହିଁ ଯାତ୍ରା କରିବି। ଆଉ ଶେଷରେ ଯୁବତୀଙ୍କ ଜିଦ୍‌ ଆଗରେ ରେଲଓ୍ବେ ମୁଣ୍ଡ ନୁହାଇଁଥିଲା। ରେଲଓ୍ବେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାତି ୧ଟା କିମ୍ବା ସାଢେ ୧ଟା ସୁଦ୍ଧା ଏକ ଟ୍ରେନ୍‌ ରାଞ୍ଚି ପହଞ୍ଚିବାର ଥିଲା। ରେଲଓ୍ବେ ପକ୍ଷରୁ କୁହାଯାଇଛି ଯୁବତୀଙ୍କ ନାମ ଅନନ୍ୟା। ସେ ବି ୩ କୋଚର ୫୧ ନମ୍ବର ସିଟ୍‌ରେ ବସି ଯାତ୍ରା କରିଛନ୍ତି। ଅଧିକାରୀଙ୍କ କହିବା କଥା ହେଲା ଟାନା ଭଗତ ଆନ୍ଦୋଳନ ଶୀଘ୍ର ସରିଯିବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା। ଯାହାଫଳରେ ଯାତ୍ରୀଙ୍କୁ ବସ୍‌ରେ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା। ହେଲେ ଯୁବତୀ ଜଣଙ୍କ ବସ୍‌ରେ ନ ଯାଇ ଜିଦ ଧରିବାରୁ ତାଙ୍କୁ ଟ୍ରେନ୍‌ରେ ଯାତ୍ରା କରିବାର ସୁବିଧା ଦିଆଯାଇଥିଲା। ତେବେ ଏକେଲା ଯାତ୍ରା କରୁଥିବାରୁ ରେଲଓ୍ବେ ପକ୍ଷରୁ ଯୁବତୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା।

Share