ବମ୍ବେ: ଆଉ ନାହାନ୍ତି ଟେଲିଭିଜନ ତଥା ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରଜିତା କୋଚର। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କିଡନୀ ଫେଲ୍ ହେବା ସାଙ୍ଗକୁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହାପରେ ତାଙ୍କୁ ପାରାଲିସିସ୍ ହୋଇଥିଲା। ଔଷଧ ଏବଂ ଚିକିତ୍ସା ଯୋଗୁ ଅବସ୍ଥାରେ ସୁଧାର ଆସୁଥିଲା। ହେଲେ ଡିସେମ୍ବର ୨୦ରେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ରଜିତା ଟେଲିଭିଜନ ଏବଂ ଫିଲ୍ମରେ ଅନେକ ଚରିତ୍ରରେ ଅଭିନୟ କରିଥିଲେ। ବିଶେଷ କରି ‘କାହାନି ଘର ଘର କି’, ‘ହାତିମ୍’ ଏବଂ ‘କବଚ’ ଭଳି ଧାରାବାହିକ ଲାଗି ସେ ଚର୍ଚ୍ଚାରେ ଥିଲେ। ତେବେ ଶେଷ ଥର ଲାଗି ତାଙ୍କୁ କଙ୍ଗନା ରାଣାଓ୍ବତଙ୍କ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ରେ ଦେଖିବାକୁ ମିଳିଥିଲା। ବୟସାଧିକ ହୋଇଥିଲେ ହେଁ ରଜିତା ବେଶ ଆକ୍ଟିଭ ଏବଂ ଫିଟ୍ ଥିଲେ। ଏଥିଲାଗି ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି।