ଭଦ୍ରକ ଅଫିସ,୧୪।୧୦: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡିରୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କ ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସେ ଭଦ୍ରକ ବାଇପାସସ୍ଥିତ ବାସଭବନରୁ ତାଙ୍କର ଶତାଧିକ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ରିଟନିଂ ଅଫିସର ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀପ୍ରସାଦ ସାହୁଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।
ଅନ୍ୟପକ୍ଷେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭାଜପା ସ୍ବର୍ଗତଃ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି।