Categories: ଜାତୀୟ

ବାଡ଼ ଡେଇଁଲେ ସିଏମ ଗେହଲଟଙ୍କ ନିକଟତର ଥିବା ରାଜେନ୍ଦ୍ର ଗୁଧା, ଶିନ୍ଦେଙ୍କ ଦଳରେ ସାମିଲ…

ମୁମ୍ବାଇ,୯।୯ : ଗତ ଦୁଇ ମାସ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଇଚଇ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରୁ ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଶେଷରେ କଂଗ୍ରେସ ବାଡ଼ ଡେଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ବିଧାନସଭାରେ ଲାଲ ଡାଏରୀ ଦେଖାଇ ରାଜେନ୍ଦ୍ର ଗୁଧା ଲୋକଲୋଚନକୁ ଆସିଥିଲେ।

ଏହି ଘଟଣା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା। ରାଜସ୍ଥାନ ସରକାରଙ୍କ କ୍ୟାବିନେଟରୁ ବରଖାସ୍ତ ହେବା ପରେ ରାଜେନ୍ଦ୍ର ଜୁଲାଇ ୨୪ରେ ‘ଲାଲ ଡାଏରୀ’ ସହିତ ବିଧାନସଭାରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଏହି ଡାଏରୀରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦୁର୍ନୀତି କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ରହିଛି। ତେବେ ତାଙ୍କୁ ଗୃହରୁୁ ବାହାର କରି ଦିଆଯାଇଥିଲା। ସେ ଅଭିଯୋଗ କରିଥିେଏ କଂଗ୍ରେସ ମନ୍ତ୍ରୀ ଓ ବିଧାୟକମାନେ ତାଙ୍କଠାରୁ ଏହି ଡାଏରୀ ଛଡ଼ାଇ ନେଇଥିଲେ। ମାତ୍ର ତାଙ୍କ ପାଖରେ ଡାଏରୀର ଅନ୍ୟ ଏକ ଅଂଶ ମଧ୍ୟ ଥିବା କହିଥିଲେ।

ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର ଉଦୟପୁରବତୀରୁ ରାଜେନ୍ଦ୍ର ଗୁଧା ହେଉଛନ୍ତି ବିଧାୟକ। ସେ ତାଙ୍କ ଗାଁର ନାମ ମଧ୍ୟ ତାଙ୍କ ନାମରେ ଯୋଡିଥିଲେ। ୨୦୧୮ ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସପି) ଟିକେଟରେ ରାଜେନ୍ଦ୍ର ଗୁଧା ଦ୍ୱିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ତାଙ୍କ ବିଧାୟକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ।

୨୦୨୦ ରେ ଯେତେବେଳେ ସଚିନ ପାଇଲଟ ତାଙ୍କର ସମର୍ଥକ ବିଧାୟକଙ୍କ ସହ ହରିୟାଣାର ମାନସର ଯାଇଥିଲେ, ସେତେବେଳେ ସେ ସିଏମ ଗେହଲଟଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସିଏମ ଗେହଲଟ ତାଙ୍କୁ ମନ୍ତ୍ରୀ ମଧ୍ୟ କରିଥିଲେ। କିନ୍ତୁ ସମୟ ସହିତ ଗେହଲଟ ସହ ତାଙ୍କର ଦୂରତା ବଢ଼ିବାରେ ଲାଗିଥିଲା। ରାଜେନ୍ଦ୍ର ଗୁଧା ସଚିନ ପାଇଲଟଙ୍କୁ ସମର୍ଥନ କରି ଗେହଲଟଙ୍କ ବିରୋଧରେ ବିବୃତ୍ତି ଦେବା ଆରମ୍ଭ କରିଥିଲେ।

Share