ରାଜେଶ ପ୍ରଭାକର ପାଟିଲ ସମବାୟ ସଚିବ

ଭୁବନେଶ୍ୱର,୨ା୨(ଅନିଲ ଦାସ): ଆନ୍ତଃରାଜ୍ୟ ଡେପୁଟେଶନରୁ ଫେରିବା ପରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ଅତିରିକ୍ତ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ। ପାଟିଲ ଗୁରୁବାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ସରକାରୀ ଚାକିରିରୁ ବୁଧବାର ଅବସର ନେଇଥିବା ସୁରେଶ ଚନ୍ଦ୍ର ଦଳେଇଙ୍କୁ ଇଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ସେ ୧ ବର୍ଷ ପାଇଁ ଏହି ପଦବୀରେ ରହିବେ।
ସେହିପରି ରାଜ୍ୟର ୪ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ସ୍ମିତା ରାଉତ, ମଧୁସ୍ମିତା ସାମଲ, ସଞ୍ଜୟ କୁମାର ବିଶ୍ୱାଳ ଏବଂ ସାଗରିକା ହୋତା। ଏ ନେଇ ଗୁରୁବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଓକାକ୍‌ ଜେନେରାଲ ମ୍ୟାନେଜର ମଧୁସ୍ମିତା ରଥ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚିବ ମହେଶ କୁମାର ଚୌଧୁରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଗୁରୁବାର ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ସେହିପରି ବିଏମ୍‌ସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ରମେଶ ଚନ୍ଦ୍ର ଜେନାଙ୍କୁ କନ୍ଧମାଳ ଅତିରିକ୍ତ ଜିଲାପାଳ ଏବଂ ଲଳିତ ସୋରେଙ୍ଗଙ୍କୁ କେନ୍ଦୁଝର ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି।

Share