ନିର୍ଦ୍ଦେଶ ପରେ ଉପବାଚସ୍ପତି ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ। ସେ ବୁଧବାର ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଉଥିବା କୁହାଯାଉଛି।

ଏ ସମ୍ପର୍କରେ ରଜନୀକାନ୍ତ କହିଛନ୍ତି, ସେ ଆସନ୍ତାକାଲି ଭୁବନେଶ୍ୱର ଯିବେ । ଯାହା କିଛି ସେଦିନ କହିବେ । ତେବେ ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱରରେ ବାଚସ୍ପତିଙ୍କୁ ସାକ୍ଷାତ କରି ସେ ବିଧିବଦ୍ଧ ଭାବେ ତାଙ୍କର ଇସ୍ତଫାପତ୍ର ଦେବେ।

ରଜନୀକାନ୍ତ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ନେତାଙ୍କୁ ଉପବାଚସ୍ପତି କରାଯିବ କି ନାହିଁ ତାହା ଅସ୍ପଷ୍ଟ ରହିଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ଉପବାଚସ୍ପତି ପଦବୀରେ ଅନ୍ୟ କୌଣସି ନେତାଙ୍କୁ ବସାଇବାକୁ ବିଜେଡି ଚାହୁଁ ନାହିଁ।

Share