Categories: ଜାତୀୟ

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅଭିଯୁକ୍ତଙ୍କ ମୁକ୍ତିକୁ କଂଗ୍ରେସ କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୧୯ ।୫: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭଲନ୍ ମୁକୁଳିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି । ଆଉ ଏଥିପାଇଁ କଂଗ୍ରେସ ମୋଦି ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଦୁର୍ଭାଗ୍ୟପୂର୍ଣ୍ଣ । ଏହାଦ୍ୱାରା କୋଟି କୋଟି ଭାରତୀୟଙ୍କ ଆତ୍ମାକୁ ବାଧିଛି । କାରଣ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜଣେ ହତ୍ୟାକାରୀକୁ ମୁକୁଳାଇ ଦେଇଛନ୍ତି ।
ମୋଦି ସରକାର ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ସୁରଜେୱାଲା କହିଛନ୍ତି ଏଥିପାଇଁ ସିଧାସଳଖ ମୋଦି ସରକାର ଦାୟୀ । ସୁରଜେୱାଲା କହିଛନ୍ତି ୨୦୧୮ ସେପ୍ଟେମ୍ବର ୯ରେ ତାମିଲନାଡୁର ତତ୍‌କାଳୀନ ଏଆଇଏଡିଏମକେ-ଭାଜପା ସରକାର ରାଜୀବ ଗାନ୍ଧୀଙ୍କ ୭ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ସୁପାରିଶ କରିଥିଲେ । ରାଜ୍ୟପାଳ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ରାଷ୍ଟ୍ରପତି ବି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ସୁପ୍ରିମକୋର୍ଟ ଜଣେ ହତ୍ୟାକାରୀଙ୍କୁ ମୁକ୍ତ କରିଦେଇଛନ୍ତି । ସ୍ୱାଭାବିକ ଭାବେ ବାକି ହତ୍ୟାକାରୀଙ୍କୁ ବି ମୁକ୍ତ କରି ଦିଆଯିବ ବୋଲି ସେ କହିଛନ୍ତି ।

Share