Categories: ଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି ପେରିଭାଲାନଙ୍କୁ କାହିଁକି ମୁକ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଜେଲରେ କମ୍‌ ଅବଧି ଦଣ୍ଡ ଭୋଗୁଥିବା ଲୋକମାନଙ୍କୁ ମୁକ୍ତ କରାଯାଉଥିବାବେଳେ କେନ୍ଦ୍ର କାହିଁକି ପେରିଭାଲାନଙ୍କୁ ମୁକ୍ତ କରିବାକୁ ରାଜି ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ରାଜ୍ୟପାଳଙ୍କ ନିଷ୍ପତ୍ତି ଭୁଲ ଏବଂ ସମ୍ବିଧାନ ବିରୁଦ୍ଧରେ ସେ ଅନୁଭବ କରୁଛନ୍ତି ଯେ ସେ ରାଜ୍ୟ କ୍ୟାବିନେଟର ପରାମର୍ଶରେ ବାନ୍ଧି ହୋଇଛନ୍ତି। ତାଙ୍କ ନିଷ୍ପତ୍ତି ସମ୍ବିଧାନର ଫେଡେରାଲ ଗଠନ ଉପରେ ଆଘାତ ଦେଇଛି ।

ଜଷ୍ଟିସ ଏଲ.ଏନ ରାଓ ଏବଂ ବି.ଆର. ଗବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସୋଲିସିଟର ଜେନେରାଲ କେ.ଏମ୍‌ ନଟରାଜନଙ୍କୁ କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ଉଚିତ ନିର୍ଦ୍ଦେଶ ନ ମିଳିଲେ କୋର୍ଟ ପେରିଭାଲାନଙ୍କୁ ମୁକ୍ତ କରିଦେବେ।

କେତେକ ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ଗ୍ରହଣ କରାଯାଇଥାଏ ମାତ୍ର ରାଜ୍ୟପାଳଙ୍କର ନୁହେଁ ବୋଲି ନଟରାଜନ କହିଛନ୍ତି। ବିଶେଷ କରି ଯେତେବେଳେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ପଡିଥାଏ ସେତେବେଳେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ରହିଥାଏ।

ଅଦାଲତ ଆଇନଜୀବୀଙ୍କୁ କହିଛନ୍ତି ଯେ ଦୋଷୀ ୩୬ ବର୍ଷ କାରାଦଣ୍ଡ ପୂରଣ କରିସାରିଛନ୍ତି । କେନ୍ଦ୍ର ସରକାର କାହିଁକି ତାଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Share