Categories: ଜାତୀୟ

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଲେଖିଲେ ଚିଠି, ‘୩୨ ବର୍ଷ ହେଲା ମା’ଙ୍କୁ ଦେଖିନାହିଁ, ଏବେ ଘରକୁ ଯିବାକୁ ଚାହୁଁଛି’

ଚେନ୍ନାଇ,୧୦।୬: ୩୨ବର୍ଷ ଧରି ମା’ଙ୍କୁ ଦେଖିନାହିଁ। ମୋତେ ଯିବାକୁ ଦିଅନ୍ତୁ। କୋହଭରା କଣ୍ଠରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ସନ୍ଥନ।
ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛି। ମୋତେ ଶ୍ରୀଲଙ୍କା ପଠାଇବା ପାଇଁ ବ୍ୟବସ୍ଥା କରାଯାଉ। ଦୀର୍ଘ ଦିନ ଧରି ମୁଁ ନିବେଦନ କରିବା ସତ୍ତ୍ୱେ ମୋତେ କୌଣସି ଉତ୍ତର ମିଳୁ ନାହିଁ। ୩୨ ବର୍ଷ ଧରି ମୋ ମା’ଙ୍କୁ ଭେଟି ନାହିଁ। ମୁଁ ନିଜକୁ ଦୋଷୀ ମନେ କରୁଛି ଯେ ଏହି ବୟସରେ ମୁଁ ତାଙ୍କୁ ସାହାଯ୍ୟ କରିପାରୁ ନାହିଁ। ଏଠାରେ ଫୋନ୍‌ରେ କଥା ହେବାକୁ ଅନୁମତି ଦିଆଯାଉ ନାହିଁ। କ୍ୟାମ୍ପରେ ନିଜ ରକ୍ତ ସମ୍ପର୍କୀୟ ଛଡା ଅନ୍ୟ କାହାକୁ ଭେଟିବାକୁ ଅନୁମତି ନାହିଁ। ମୋ ଭଳି ବିଦେଶୀ ପାଇଁ ଏଠି କିଏ ଅବା ରକ୍ତ ସମ୍ପର୍କୀୟ ଥିବେ! କର୍ତ୍ତୃପକ୍ଷ ଆମକୁ ଜୀବିତ ରଖିଛନ୍ତି କିନ୍ତୁ ଆମକୁ ବଞ୍ଚିବାକୁ ଦେଉ ନାହାନ୍ତି।

ସୂଚନାଯୋଗ୍ୟ, ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରୀଲଙ୍କାର ନାଗରିକ ଏମ.ଟି ସନ୍ଥନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ବର୍ତ୍ତମାନ ସେ ତାଙ୍କ ସ୍ବତନ୍ତ୍ର କ୍ୟାମ୍ପକୁ ଏକ ଚିଠି ଲେଖି ଘରକୁ ଫେରିବାକୁ ନିବେଦନ କରିଛନ୍ତି।

ସୁପ୍ରିମକୋର୍ଟ ନଭେମ୍ବର ୧୧ ୨୦୨୨ରେ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ପରେ ୩୨ ବର୍ଷ ଧରି ଦଣ୍ଡ ଭୋଗିଥିବା ନଳିନୀ, ଶ୍ରୀହରନ, ସନ୍ଥନ, ରୋବର୍ଟ ପାୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ନଳିନୀ ଏବଂ ରବିଚନ୍ଦ୍ରନଙ୍କୁ ନିଜ ପରିବାର ପାଖକୁ ଯିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଅନ୍ୟ ଚାରିଜଣଙ୍କୁ ତ୍ରିଚି ସେଣ୍ଟ୍ରାଲ ଜେଲର ଏକ ସ୍ବତନ୍ତ୍ର ଶିବିରରେ ରଖାଯାଇଥିଲା। କାରଣ ସେହି ୪ଜଣ ଶ୍ରୀଲଙ୍କା ନାଗରିକ ଥିଲେ।

 

Share