Advertisement

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ ପ୍ରୀତିନନ୍ଦା କାନୁନ୍‌ଗୋ, ଭାଜପାରୁ କୃଷ୍ଣଚନ୍ଦ୍ର ମହାପାତ୍ର, କଂଗ୍ରେସରୁ ପ୍ରଭାସକର ମହାପାତ୍ର, ଜେଏମ୍‌ଏମ୍‌ରୁ କୃଷ୍ଣଚନ୍ଦ୍ର ଦାସ, ଭଞ୍ଜସେନା ସମର୍ଥିତ ପ୍ରାର୍ଥୀ ସଞ୍ଜୀବ କୁମାର ରାଉତ, ଆପରୁ ଶଙ୍କର୍ଷଣ ମିଶ୍ର, ଆଜସୁରୁ ଯୋଗେନ୍ଦ୍ରନାଥ ମହାନ୍ତ,ସ୍ବାଧୀନ ପ୍ରାର୍ଥୀ ଗୋପବନ୍ଧୁ ମହାନ୍ତ,ସତ୍ୟବାନ ଦଳନାଏକ,ରାଧାକ୍ରିଷ୍ଣା ମହାନ୍ତ,ସୁଦାମ ସୋରେନ, ଦିବ୍ରାଟଚନ୍ଦ୍ର ମହାନ୍ତ,ଭୀମଚରଣ ମାର୍ଣ୍ଡି,ଦିଲ୍ଲୀପ କୁମାର ତୁଙ୍ଗ, ମଦନମୋହନ ମୁର୍ମୁ, ମୃତ୍ୟୁଞ୍ଜୟ ବେହେରା ଏବଂ ପୁଷ୍ପାଞ୍ଜଳି ମହାପାତ୍ର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି।

ତେବେ ବିଜେଡି, କଂଗ୍ରେସ ଲୋକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବୁଥ୍‌ସ୍ତରୀୟ, ଜୋନସ୍ତରୀୟ କାର୍ଯ୍ୟକ୍ରମ କରିବା ସହିତ ମିଶ୍ରଣ ପର୍ବ କରି ନିଜ ନିଜର ସ୍ଥିତି ସୁଦୃଢ କରୁଛନ୍ତି। କିନ୍ତୁ ଏଯାବତ ଅନ୍ୟ ଦଳ ତଥା ପ୍ରାର୍ଥୀମାନେ ଚୁପ୍‌ଚାପ ବସି ରହି ଏଯାଏ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ କରିନାହାନ୍ତି। ଖାସକରି ଗତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା ଭାଜପା ସେମିତି କାର୍ଯ୍ୟକ୍ରମ ନ କରି ନିର୍ବାଚନୀ ପ୍ରଚାରରେ ବହୁ ପଛରେ ପଡ଼ିଯାଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
ତେବେ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ସଭାରେ ଖୁଲମଖୁଲା କଡ଼ା ସମାଲୋଚନା କରିଛନ୍ତି ମୋରଡ଼ା ବିଧାୟକ ରାଜକିଶୋର ଦାସ। କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ମାମଲା ରହିଥିବା କହିଛନ୍ତି ରାଜୁ। ତେବେ ରାଜକିଶୋରଙ୍କ ମନ୍ତବ୍ୟକୁ ନେଇ କୃଷ୍ଣଚନ୍ଦ୍ର ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାଜୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତାଙ୍କ ନାମରେ ମଧ୍ୟ ଏକ  ମାମଲା ରହିଛି। ତେବେ ଜନତା ଜନାର୍ଦ୍ଦନ ସବୁ ଜାଣିଛନ୍ତି। ଆଗାମୀ ଦିନରେ ସବୁ ଜଣାପଡ଼ିବ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share