ବମ୍ବେ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ। ରବିବାର ଚଣ୍ଡିଗଡ଼ରେ ଉଭୟ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିବେ। ଏହାର ପୂର୍ବରୁ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଓ ଭିଡିଓରେ ରାଜକୁମାର ମୁଦି ଧରି ଆଣ୍ଠୁ ମାଡ଼ି ବସି ପତ୍ରଲେଖାଙ୍କୁ ବିବାହ ଲାଗି ପ୍ରପୋଜ କରୁଥିବା ଦେଖାଯାଇଛି। ଏଥିରେ ହଁ କହିଛନ୍ତି ପତ୍ରଲେଖା।
ରାଜକୁମାର-ପତ୍ରଲେଖାଙ୍କ ନିର୍ବନ୍ଧରେ କେବଳ ପରିବାର ସହ ନିକଟ ସମ୍ପର୍କୀୟ ଯୋଗ ଦେଇଥିଲେ। ଅଭିନେତ୍ରୀ ହୁମା କୁରେସି, ସାକିବ ସଲିମ ଏବଂ ଫରାହ ଖାନ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।
ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା’ ଦେଖିବା ପରେ ରାଜକୁମାର ସେହିଭଳି ବ୍ୟକ୍ତି ହୋଇଥିବା ପତ୍ରଲେଖା ଭାବିଥିଲେ। ସେ ବେକାର ବୋଲି ଚିନ୍ତା କରିଥିଲେ। ହେଲେ ପ୍ରଥମ ଦେଖାରେ ପତ୍ରଲେଖାଙ୍କ ପ୍ରେମରେ ପଡ଼ିଥିଲେ ରାଜକୁମାର। ଏହି ଝିଅଙ୍କୁ ସେ ବିବାହ କରିବେ ବୋଲି ଭାବିଥିଲେ। ଏହାପରେ ଦଶ ବର୍ଷ ଉଭୟ ସମ୍ପର୍କରେ ରହିଥିଲେ। ଏବେ ଏହାକୁ ସେ ଆଗକୁ ନେଇ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।