Categories: ଜାତୀୟ

୧୫ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ, ଅଶ୍ୱିନୀ

ନୂଆଦିଲ୍ଲୀ,୩୦।୫: କୋଭିଡ୍‌ ମହାମାରୀ ବେଳେ ଟ୍ରେନ୍‌ରେ ଦେଶର ବିଭିନ୍ନ ଅଞ୍ଚଳକୁ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟର ୧୫ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେରେ ଏନ୍‌ଡିଏ ଭୋଟରମାନେ ୧୦ ନମ୍ବରରୁ ଅଶ୍ୱିନୀଙ୍କୁ ୬.୮୨ ନମ୍ବର ଦେଇ ୧୨ତମ ସ୍ଥାନରେ ରଖିଥିବାବେଳେ ବିରୋଧୀ ଭୋଟରମାନେ ୫.୯୬ ନମ୍ବର ଦେଇ ୭ମ ସ୍ଥାନରେ ରଖିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସୋସିଆଲ ଗ୍ରୁପ୍‌ ପାରାମିଟରରେ ସେ ୭.୨୦ ନମ୍ବର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମହାମାରୀ ସଙ୍କଟ ବେଳେ ଭାରତୀୟ ରେଲଓ୍ବେ ଖାଦ୍ୟଶସ୍ୟ, କୋଇଲା, ପେଟ୍ରୋଲିୟମ, ସାର, ଲୁହାପଥର ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯୋଗ କରିବା ସହ ଭିତ୍ତିଭୂମି ଓ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣି ଦେଶବାସୀଙ୍କ ସଦ୍ଦିଚ୍ଛା ହାସଲ କରିଥିଲା।

ସର୍ଭେ ଅନୁଯାୟୀ ମୋଦି କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମନ୍ତ୍ରୀ ଦର୍ଶାଯାଇଛି। ଏନ୍‌ଡିଏ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ଏହି ସର୍ଭେ କରାଯାଇଥିଲା, ଯେଉଁଥିରେ ଏନ୍‌ଡିଏ, ଅଣ ଏନ୍‌ଡିଏ ଭୋଟରଙ୍କ ସମେତ ବିଭିନ୍ନ ପାରାମିଟରକୁ ସାମିଲ କରାଯାଇଥିଲା। ରାଜନାଥଙ୍କୁ ଏନ୍‌ଡିଏ ଭୋଟର୮.୩୬ ନମ୍ବର ଏବଂ ବିରୋଧୀ ଭୋଟର ୭.୦୩ ନମ୍ବର ଦେଇ ପ୍ରଥମ ର଼୍ୟାଙ୍କ୍‌ରେ ରଖିଛନ୍ତି। ମୁସଲମାନ ସମ୍ପ୍ରଦାୟର ସୋସିଆଲ ଗ୍ରୁପ୍‌ରେ ସେ ୬.୩୦ ସ୍କୋର ସହ ଶୀର୍ଷସ୍ଥାନରେ ଥିବାବେଳେ ଏସ୍‌ଟି/ଏସ୍‌ଟି ସୋସିଆଲ ଗ୍ରୁପ୍‌ରେ ୭.୬୩ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି କୋଭିଡ୍‌ ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ମଧ୍ୟ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ସ୍ଥାନ ମିଳିଛି। ଆଇଏଏନ୍‌ଏସ୍‌-ସିଭୋଟର ସର୍ଭେରେ ୬.୭୫ ନମ୍ବର ସହ ସେ ୧୩ତମ ସ୍ଥାନରେ ରହିଛନ୍ତି।

ସର୍ଭେରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ୮.୦୭ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ୭.୭୯ ସ୍କୋର ସହ ତୃତୀୟ ସ୍ଥାନରେ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୭.୬୯ ସ୍କୋର ସହ ଚତୁର୍ଥ ସ୍ଥାନରେ ଅଛନ୍ତି।

Share