ରଣନୀତିକ ଭାଗିଦାରୀକୁ ଆହୁରି ଉଚ୍ଚତାକୁ ନେବାକୁ ଭାରତ-ଫ୍ରାନ୍ସ ପ୍ରସ୍ତୁତ: ରାଜନାଥ

ପ୍ୟାରିସ/ନୂଆଦିଲ୍ଲୀ,୧୨।୧୦: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ୟାରିସରେ ପଞ୍ଚମ ବାର୍ଷିକ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସଂଳାପରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି। ଏହି ସମୟରେ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ ସେବେଷ୍ଟିୟନ ଲେକର୍ନୁ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଇବର ସ୍ପେସ ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ପରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ସହଯୋଗ ଉପରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ପୂର୍ବ ଅପେକ୍ଷା ଆଜି ଅଧିକ ପ୍ରାସଙ୍ଗିକ ଅଟେ। ଆଗକୁ ବଢିବାକୁ ଉଭୟ ଦେଶ ବହୁତ ଆଗ୍ରହୀ।

ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର କହିଛନ୍ତି, ଦୁଇ ଦେଶର ମନ୍ତ୍ରୀମାନେ ପ୍ରତିରକ୍ଷା ଶିଳ୍ପ ସହଯୋଗ, ଆଞ୍ଚଳିକ ପରିସ୍ଥିତିର ମୂଲ୍ୟାଙ୍କନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ, ରାଜନାଥ ସିଂ ଏବଂ ଲେକର୍ନୁ ଚାଲିଥିବା ପ୍ରତିରକ୍ଷା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି।

Share