ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି ଏବଂ ବିଶ୍ୱରେ ୩ ଶ୍ରେଷ୍ଠ ଅର୍ଥ ବ୍ୟବସ୍ଥା ମଧ୍ୟରେ ନିଜକୁ ସାମିଲ କରିବାକୁ ଯାଉଛି ବୋଲି ରାଜନାଥ ସିଂହ କହିଛନ୍ତି। ସାନ୍ ଫ୍ରାନ୍ସିସ୍କୋଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍ବୋଧନ ଦେଇ ରାଜନାଥ କହିଥିଲେ, ନୂଆଦିଲ୍ଲୀ ଜିରୋ-ସମ୍ ଗେମ୍ (ଗୋଟିଏ ପକ୍ଷ ଲାଭବାନ ହେବାବେଳେ ଅନ୍ୟ ପକ୍ଷ ଅନୁରୂପ କ୍ଷତି ସହିବା) କୂଟନୀତିରେ ବିଶ୍ୱାସ କରେ ନାହିଁ। ଅନ୍ୟ ଦେଶ ସହ ସମ୍ପର୍କକୁ ଜଳାଞ୍ଜଳି ଦେଇ ଭାରତ ଗୋଟିଏ ଦେଶ ସହ ସମ୍ପର୍କ ରଖିପାରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଲକ୍ଷ୍ୟ କରି କହିଥିଲେ। ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ରାଜନାଥ ଓ୍ବାଶିଂଟନ ଡିସି ଯାଇଥିଲେ। ସେଠାରେ ସେ ହାଓ୍ବାଇରେ ଏକ ବୈଠକରେ ସାମିଲ ହେବା ସହ ସାନ୍ ଫ୍ରାନ୍ସିସ୍କୋ ଯାଇଛନ୍ତି। ଚାଇନା ସୀମାରେ ଭାରତୀୟ ଯବାନମାନେ ଦେଖାଇଥିବା ବୀରତ୍ୱ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ବଂଶୋଦ୍ଭବମାନଙ୍କୁ କହିଥିଲେ। ଭାରତ କେବେ କାହାକୁ ଛାଡ଼ିଦେବ ନାହିଁ ବୋଲି ସେମାନଙ୍କ ଦୁଃସାହସ ଚାଇନାକୁ ବାର୍ତ୍ତା ଦେଇଥିଲା। ସୂଚନାଯୋଗ୍ୟ, ଲଦାଖ ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଥିବାବେଳେ ୨୦୨୦ ଜୁନ୍ ୧୫ରେ ଗଲଓ୍ବାନ ଉପତ୍ୟକାରେ ଉଭୟ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ପ୍ରାଣ ହରାଇଥିବା ବେଳେ ଚାଇନା ପଟୁ କେତେ ନିହତ ହେଲେ ବେଜିଂ ତାହା ପ୍ରକାଶ କରି ନ ଥିଲା।