Categories: ଜାତୀୟ

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଅଣୁ ଅସ୍ତ୍ର ବ୍ୟବହାର କରନାହିଁ

ନୂଆଦିଲ୍ଲୀ, ୨୭ା୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ ବୁଧବାର ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ‘ଡାର୍ଟି ବମ୍‌’ ପ୍ରୟୋଗ କରି ରୁଷିଆକୁ ଉସୁକାଇବାକୁ ଉଦ୍ୟମ କରୁଥିବା ଶୋଇଗୁ କହିଛନ୍ତି। ଏହା ପୂର୍ବରୁ ଶୋଇଗୁ ତାଙ୍କ ଚାଇନା ପ୍ରତିପକ୍ଷ ଓ୍ବେଇ ଫେଙ୍ଗ୍‌ହିଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ସମାନ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଥିଲେ।

ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପ୍ରରୋଚନାରେ ୟୁକ୍ରେନ୍‌ ଏପରି କରି ଲୋକଙ୍କୁ ଭୟଭୀତ ଓ ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଯୋଜନା କରୁଥିବା ରୁଷିଆ ଅଭିଯୋଗ ଆଣିଛି। ତେବେ ଭାରତ କୂଟନୈତିକ ରାସ୍ତାରେ ସମାଧାନ ଖୋଜିବା ଉପରେ ବିଶ୍ୱାସ କରେ ବୋଲି ରାଜନାଥ ସିଂ ଦୋହରାଇଥିଲେ। କୌଣସି ପକ୍ଷ ଆଣବିକ କିମ୍ବା ରେଡିଓଲୋଜିକାଲ ଅସ୍ତ୍ର ବ୍ୟବହାର କରିବା କେବେ ଏକ ବିକଳ୍ପ ନୁହେଁ ବୋଲି ସେ କହିବା ସହ ଉଭୟେ ଏଥିରୁ ବିରତ ରହିବାକୁ ସେ ପରାମର୍ଶ ଦେଇଥିଲେ।

Share