ଏସ୍‌ପି ଅଫିସରେ ମୁଣ୍ଡିଆ ମାରି ଗୁହାରି କଲେ ରଜନୀ

ସମ୍ବଲପୁର,୨୬ା୮(ବ୍ୟୁରୋ):ସ୍ବାମୀ ପ୍ରାୟ ଏକମାସ ହେବ ଦାଦନ ଖଟିବାକୁ ଯାଇ ଆଉ ଫେରିନାହାନ୍ତି। ସ୍ବାମୀ ଗଲାପରେ ପରିବାର ପୋଷଣ ହୋଇ ପାରୁନାହିଁ। ଛୋଟ ପିଲାମାନେ ଥିବାରୁ ରୋଜଗାର କରିବାକୁ ଯାଇ ପାରୁନାହିଁ। ନିଖୋଜ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଯୁଯୁମୁରା ଥାନା ପୋଲିସ ପାଖକୁ ଯାଇଥିଲି। ସେମାନେ ନାମ ଓ ଠିକଣା ଲେଖିଥିଲେ ମଧ୍ୟ ଖୋଜି ଯିବାକୁ ଆମକୁ ଗାଡି ଦରକାର ବୋଲି କହିଥିଲେ। ପରିବାର ଭୋକ ଉପାସରେ ରହିଥିବାବେଳେ ପୋଲିସକୁ କିଭଳି ଗାଡି ଯୋଗାଇ ଦେବି। ପ୍ରଶାସନ, ପୋଲିସ, ସହୃଦୟ ବ୍ୟକ୍ତି ମୋ ସ୍ବାମୀଙ୍କୁ ଖୋଜି ଆଣିବାରେ ସହଯୋଗ କରୁନ୍ତୁ ବୋଲି ଯୁଯୁମୁରା ଛାମୁଣ୍ଡା ଗ୍ରାମର ରଜନୀ ସୁନାକାଠିଆ ଗୁରୁବାର ଏସ୍‌ପି ଅଫସରେ ମୁଣ୍ଡିଆ ମାରି ଗୁହାରି କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, ଜୁଲାଇ ୧୯ରେ ଗ୍ରାମର ଜଣେ ଦଲାଲ ସ୍ବାମୀ ରାଜୁଙ୍କୁ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ କାମ କରିବାକୁ ନେଇଥିଲେ। ଗ୍ରୁପ ଋଣ ପରିଶୋଧ କରିବା ଆଶାରେ ସେ ଗ୍ରାମର ଅନ୍ୟ ୪ ଜଣଙ୍କ ସାଙ୍ଗରେ ଚାଲି ଯାଇଥିଲେ। ସେଠାରେ ମାଲିକଙ୍କ ଅତ୍ୟାଚାର ସହି ନ ପାରି ୧୫ଦିନ ଭିତରେ ସମସ୍ତେ ଗ୍ରାମକୁ ଫେରିଥିଲେ ମଧ୍ୟ ସ୍ବାମୀ ଫେରିଲେ ନାହିଁ। ଏହାକୁ ନେଇ ଯୁଯୁମୁରା ଥାନାରେ ୨ ଥର ଅଭିଯୋଗ କରିବାକୁ ଯାଇଥିଲି। ହେଲେ ସୁଫଳ ମିଲିଲା ନାହିଁ ବୋଲି ଅଭିଯୋଗ କରିଥିଲେ। ଏହି ସମୟରେ ଯୁଯୁମୁରା ସମିିତି ସଭ୍ୟ ଜୟନ୍ତ ପ୍ରଧାନ, ଭାଜପା ମଣ୍ଡଳ ସଭାପତି ଓମ୍‌ ପ୍ରକାଶ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା ପ୍ରମୁଖ ଉପସ୍ଥିତ ଥିଲେ। ସମିତି ସଭ୍ୟ ପ୍ରଧାନ କହିଛନ୍ତି, ପୋଲିସ ଲୋକଙ୍କ ସୁରକ୍ଷା ଦେବା ସହ ଉତ୍ତମ ବ୍ୟବହାର କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ରଜନୀ ଭଳି ପୀଡିତାମାନେ ପୋଲିସ ପାଖକୁ ଅନେକ ଆଶା ନେଇ ଅଭିଯୋଗ କରିବାକୁ ଗଲେ ସେଠାରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତ। ଏହା ନିନ୍ଦନୀୟ ଘଟଣା। ପୋଲିିସକୁ ଗରିବ ପରିବାର କିଭଳି ଗାଡି ଯୋଗାଇ ପାରିବ। ଯଦି ପୋଲିସ ପାଖରେ ବ୍ୟବସ୍ଥା ନାହିଁ ତା’ହେଲେ ଅନ୍ୟ ବିଭାଗ ଓ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଅଭଯୋଗ କାରୀଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ବଦଳରେ ତାଙ୍କୁ ଅପମାନ କରି ଫେରାଇ ଦେଉଛି। ଏହା ଦ୍ୱାରା ପୋଲିସ ବିଭାଗ ଉପରେ ଭରସା ଉଠିଯିବ ବୋଲିି କହିଥିଲେ।

Share