ରାଜୁ ହତ୍ୟା ମାମଲାର ପର୍ଦ୍ଦାଫାଶ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ମାଲପଡ଼ା ଭୁର୍ସୁନବନ୍ଧ ନିକଟ ଏକ ନିର୍ମାଣାଧିନ ଘର ପାଖରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ରାଜୁ ଓରଫ ରାକେଶ ପ୍ରଧାନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ -୧ ଟାଙ୍ଗରପଡାର ବଣ୍ଟି ଭୁଏ(୧୯) ଏବଂ କେଶବ ନଗର ନିବାସୀ କାର୍ତ୍ତିକ ବାଗ(୨୦) ।

ପୋଲିସ ସେମାନଙ୍କ ପାଖରୁ ବ୍ୟବହୃତ ୨ ମାରଣାସ୍ତ୍ର ସହିତ ୪ଟି ମୋବାଇଲ ଫୋନ ଜବତ କରିଛି। ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଶନ କରିଛି। ମୃତ ରାଜୁଙ୍କ ମା’ ଭୂମୀସୂତାଙ୍କ ଏତଲା କ୍ରମେ ବରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨ରେ ଏକ ହତ୍ୟା ମାମଲା (ନଂ.୪୮୦/୨୩) ରୁଜୁ କରିଛି। ଏ ନେଇ ଶୁକ୍ରବାର ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି।

ଗତ ବୁଧବାର ରାତି ପ୍ରାୟ ୮ଟାରେ ମୃତ ରାଜୁ ତାଙ୍କ ନିଲିବନ୍ଧ ପଡାସ୍ଥିତ ଘରେ ରାତିରେ ଖାଇ ବାହାରକୁ ବାହାରି ଥିଲେ। ପରେ ସେ ଆଉ ଘରକୁ ଫେରି ନ ଥିଲେ। ଗୁରୁବାର ସକାଳୁ ଭୁର୍ସୁନବନ୍ଧ ନିକଟ ଏକ ନିର୍ମାଣାଧିନ ଘର ପାଖରେ ରାଜୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବରଗଡ଼ ଟାଉନ ଥାନା ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଲା। ଏପରିକି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡାନକେଲ ମଧ୍ୟ ଉପସ୍ଥିତ ଥିଲେ।

Share