ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: ପରିବାରଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ତାଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ରହିଛି। ଚିକିତ୍ସା ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସାମାନ୍ୟ ସୁଧାର ଆସିଛି। ବର୍ତ୍ତମାନ ରାଜୁଙ୍କ ଶରୀର ଚିକିତ୍ସାକୁ ଗ୍ରହଣ କରୁଥିବା ଜଣାପଡ଼ିଛି। ତାଙ୍କୁ ଏକ ଟ୍ୟୁବ ମାଧ୍ୟମରେ ତରଳ ପଦାର୍ଥ ବା କ୍ଷୀର ଦେବା ଆରମ୍ଭ କରାଯାଇଛି। ଗୁରୁବାରରୁ ଆଜି ପର୍ଯ୍ୟନ୍ତ ହାତ, ପାଦ ଏବଂ ଗଳାରେ କିଛି ଗତିବିଧି ଦେଖାଯାଇଛି। କିନ୍ତୁ ଡାକ୍ତରମାନେ କହିଛନ୍ତି ଯେ, ଆଖିର ଗତିବିଧିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯିବ। ତେବେ ଡାକ୍ତରଙ୍କ ଅନୁଯାୟୀ, କମେଡିଆନ ରାଜୁଙ୍କ ଚେତା ଫେରିବାକୁ ଆଉ କିଛି ଦିନ ଲାଗିପାରେ। ସୂଚନା ମୁତାବକ, ଅଗଷ୍ଟ ୧୦ରେ ହୃଦ୍‌ଘାତ ହେବା ପରଠାରୁ ରାଜୁଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କୁ ଫୋନ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶିଖାଙ୍କୁ ଫୋନ୍‌ କରି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।

Share