Categories: ଜାତୀୟ

ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ତଦନ୍ତ ଦାବି ନେଇ ସରକାରୀ ଏବଂ ବିରୋଧୀ ଦଳ ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ଲାଗିରହିବାରୁ ଗୁରୁବାର ରାଜ୍ୟ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ସମୟରୁ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଉପରୋକ୍ତ ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଲାଗିରହିଥିଲା। ଗୃହକାର୍ଯ୍ୟ ଚାଲି ନ ପାରିବରୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଗୃହକୁ ପ୍ରଥମେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହାପରେ ୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ସହ ବିଜେଡି ଏମ୍‌ପି ସୁଜିତ କୁମାରଙ୍କ ଦକ୍ଷତା ବିକାଶ କାର୍ଯ୍ୟ ଉପରେ ଆଲୋଚନା କରିବାକୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ଅନୁମତି ଦେଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସଦସ୍ୟମାନେ ହଟ୍ଟଗୋଳରୁ ନିବୃତ୍ତ ନ ହେବାରୁ ହରିବଂଶ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।

Share