Categories: ଜାତୀୟ

ରାଜ୍ୟ ସଭା ପ୍ରାର୍ଥୀ ଚୟନ: ଭାଜପାର ଓବିସି-ଦଳିତ ସୂତ୍ର

ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ଅଧାରୁ ଅଧିକ ସାମାଜିକ ପଛୁଆ ବର୍ଗର ବୋଲି ଜଣାପଡ଼ିଛି। ବିଭିନ୍ନ ଦଳ, ଏପରିକି ଭାଜପାର ସହଯୋଗୀ ଦଳଗୁଡ଼ିକ ଜାତିଭିତ୍ତିକ ଜନଗଣନା ଲାଗି ଦାବିକୁ ଜୋର୍‌ଦାର କରିଥିବାବେଳେ ଶାସକ ଦଳ ଜୁନ୍‌ ୧୦ ରାଜ୍ୟ ସଭା ନିର୍ବାଚନ ପାଇଁ ଓବିସି ଏବଂ ଦଳିତଙ୍କୁ ରାଜନୈତିକ ସଶକ୍ତିକରଣକୁ ଫୋକସ୍‌ କରିଛି। ୯ ଜଣ ଓବିସିଙ୍କୁ ପ୍ରାର୍ଥୀ କରି ଗୈରିକ ଦଳ ଜାତିଭିତ୍ତିକ ଜନଗଣନା ରାଜନୀତିର ମୁକାବିଲା କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି। ୨୦୧୪ରୁ ଭାଜପା ଜିତିବା ପାଇଁ ଏହି ସୂତ୍ର ଆପଣାଇ ଆସିଛି। ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିବାକୁ ହେଲେ ଓବିସି-ଦଳିତ ଭୋଟ ବ୍ୟାଙ୍କକୁ କବ୍‌ଜା କରିବାକୁ ହେବ ବୋଲି ଦଳୀୟ ନେତାମାନେ ଆକଳନ କରିଥିଲେ। ୨୨ ପ୍ରାର୍ଥୀଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଉତ୍ତରପ୍ରଦେଶରେ ଦିଆଯାଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ବାଜପାୟୀ ଏବଂ ରାଧାମୋହନ ଦାସ ଉଚ୍ଚ ଜାତିର ହୋଇଥିବାବେଳେ ଅନ୍ୟ ୬ ଜଣ ପଛୁଆ ବର୍ଗର। ସେହିପରି ବିହାରରେ ଓବିସି ନେତା ଶମ୍ଭୁଶରନ ପଟେଲ ଏବଂ ବ୍ରାହ୍ମଣ ସମ୍ପ୍ରଦାୟରୁ ସତୀଶ ଚନ୍ଦ୍ର ଦୁବେଙ୍କୁ ପ୍ରାର୍ଥୀ କରାଯାଇଛି। କର୍ନାଟକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବ୍ୟତୀତ ଭୋକ୍କାଲିଗା ସମ୍ପ୍ରଦାୟର ପୂର୍ବତନ ଅଭିନେତା ଜଗୀଶ ଏବଂ ଦଳର ପୂର୍ବତନ କୋଷାଧ୍ୟକ୍ଷ ଲାହର ସିଂ ସିରୋୟାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ମଧ୍ୟପ୍ରଦେଶରେ ଦୁଇଜଣ ମହିଳା, ଜଣେ ଦଳିତ ଏବଂ ଜଣେ ଓବିସି ନେତା ପ୍ରାର୍ଥୀ ହୋଇଛନ୍ତି। ଉତ୍ତରାଖଣ୍ଡରୁ ପ୍ରାର୍ଥୀ ହୋଇଥିବା କଳ୍ପନା ସାଇନି ପଛୁଆ ବର୍ଗର। ମହାରାଷ୍ଟ୍ରରେ ଓବିସି ନେତା ଅନିଲ ସୁଖଦେବରାଓ ବଣ୍ଡେ ଏବଂ ରାଜସ୍ଥାନରୁ ବ୍ରାହ୍ମଣ ସମ୍ପ୍ରଦାୟ ନେତା ଘନଶ୍ୟାମ ତିଓ୍ବ୍‌ାରିଙ୍କୁ ଭାଜପା ଟିକେଟ ଦେଇଛି।

 

Share