Categories: ଜାତୀୟ

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ଇତିମଧ୍ୟରେ କଂଗ୍ରେସରେ ବିରୋଧୀ ପଦବୀ ସଙ୍କଟ ଦେଖାଦେଇଛି। ବିରୋଧୀ ପଦବୀ ବଜାୟ ରଖିବା ପାଇଁ କଂଗ୍ରେସ ନିକଟରେ ଲୋକ ସଭାରେ ପର୍ଯ୍ୟାପ୍ତ ସଂଖ୍ୟାନାହିଁ। ନିକଟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। କାରଣ ୨୦୨୨ରେ ଭିନ୍ନ ଭିନ୍ନ ସମୟରେ ରାଜ୍ୟ ସଭାର ପ୍ରାୟ ୭୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ ଖୁବ୍‌ଶୀଘ୍ର କଂଗ୍ରେସକୁ ବହୁ କ୍ଷତି ସହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଲୋକ ସଭା ପରେ କଂଗ୍ରେସ ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳର ନେତା ଭାବେ ନିଜର ଅସ୍ତିତ୍ୱ ହରାଇବ କି। ସୂଚନାଯୋଗ୍ୟ, ଗୃହରେ ସରକାରଙ୍କ ସମ୍ମୁଖରେ ଅନେକ ବିରୋଧୀ ଦଳ ରହିଥାନ୍ତି। କିନ୍ତୁ ଆନୁଷ୍ଠାନିକ ଭାବେ ସେହି ଦଳକୁ ହିଁ ବିରୋଧୀ ଦଳର ନେତା ହେବାକୁ ସୁଯୋଗ ମିଳିଥାଏ, ଯାହା ନିକଟରେ ଅତିକମ୍‌ରେ ୧୦ପ୍ରତିଶତ ଆସନ ରହିଥାଏ। ତେବେ ଗତ ୨ଟି ନିର୍ବାଚନ ପରଠାରୁ କଂଗ୍ରେସ ନିକଟରେ ପର୍ଯ୍ୟାପ୍ତ ଆସନ ନାହିଁ। ଯାହା ଦ୍ୱାରା ଦଳ ଆନୁଷ୍ଠାନିକ ଭାବେ ନିଜର ବିରୋଧୀ ଦଳର ନେତା ଦେବାରେ ଅସକ୍ଷମ। ଏଥିସହ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୭୫ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ କଂଗ୍ରେସରେ ୩୪ଜଣ ସଦସ୍ୟ ଅଛନ୍ତି। ଯଦି ରାଜ୍ୟ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୨୫କୁ ଖସିଯାଏ, ତେବେ ଦଳକୁ ବିରୋଧୀ ପଦବୀ ହରାଇବାକୁ ପଡ଼ିବ ବୋଲି କୁହାଯାଉଛି।

Share