Categories: ଜାତୀୟ

Rajya Sabha election: ସଙ୍କଟରେ ହିମାଚଳ ସରକାର, କଂଗ୍ରେସ ବିିଧାୟକ କଲେ କ୍ରସ୍‌ ଭୋଟିଂ

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କର୍ନାଟକରେ କଂଗ୍ରେସ ୩ଟି ରାଜ୍ୟ ସଭା ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ଭାଜପା ମାତ୍ର ଗୋଟିଏ ଆସନ ପାଇଛି। ଦକ୍ଷିଣୀ ରାଜ୍ୟରେ ଭାଜପା ପ୍ରାର୍ଥୀ ନିଜ ଦଳକୁ ଧୋକା ଦେଇ କଂଗ୍ରେସ ସପକ୍ଷରେ ଭୋଟ କରିଛନ୍ତି। କ୍ରସଂ ଭୋଟିଂ ହୋଇ ସୁଦ୍ଧା ଭାଜପା ରାଜ୍ୟରେ ଗୋଟିଏ ଆସନ ଜିତିବାରେ ସଫଳ ହୋଇଛି। ଏଥିରେ କଂଗ୍ରେସ ମାକେନ ୪୭ ଭୋଟ, ନାସିର ହୁସେନ ଓ ଜିସି ଚନ୍ଦ୍ରଶେଖର ଉଭୟ ୪୬ଟି ଲେଖାଏ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାଜପାର ନାରାୟଣ ରାଣେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। କର୍ନାଟକରେ ଭାଜପା ବିଧାୟକ ଏସ ସୋମଶେକର କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ଭୋଟ ଦେଇଥିଲେ । ସେହିପରି ଅନ୍ୟ ବିଧାୟକ ଅର୍ବାଇଲ ଶିଭରାମ ହେବର ଭୋଟିଂରୁ ବିରତ ରହିଥିଲେ।

ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି। ରାଜ୍ୟରେ ୧୦ ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।

ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ହାରିଯାଇଛନ୍ତି। ସେଠାରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ହିମାଚଳପ୍ରଦେଶର ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ଉଭୟ ପ୍ରାର୍ଥୀ ୩୪ଟି ଲେଖାଏଁ ଭୋଟ ପାଇଥିବାବେଳେ ଧର୍ମଗୁଳା ଜରିଆରେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଥିବାବେଳେ ଭାଜପାର ୨୫ ସଦସ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଭାଜପା ପ୍ରାର୍ଥୀ ବିଜୟୀ ହେବା କଂଗ୍ରେସକୁ ବଡ଼ ଧକ୍କା ଲାଗିଛି।

Share