Categories: ଜାତୀୟ

୧୩ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୭।୩: ବିଧାନସଭା ନିର୍ବାଚନ ପରେ ଏବେ ଦେଶର କେତେକ ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଖାଲିହେବାକୁ ଥିବା ରାଜ୍ୟ ସଭାର ୧୩ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୋମବାର ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ରାଜ୍ୟସଭାର ଏହି ଆସନଗୁଡ଼ିକର ନିର୍ବାଚନ ପାଇଁ ମାର୍ଚ୍ଚ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୩୧ରେ ଭୋଟ ଗ୍ରହଣ କରାଯିବ। ତେବେ ମତଦାନ ଦିନ ହିଁ ଅର୍ଥାତ୍‌ ମାର୍ଚ୍ଚ ୩୧ ସନ୍ଧ୍ୟା ୫ଟାରୁ ଭୋଟ ଗଣନା ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସାମ, ହିମାଞ୍ଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ, ଓ ତ୍ରିପୁରାରୁ ୮ଜଣ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେବ। ସେହିପରି ପଞ୍ଜାବରୁ ୫ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୯ରେ ଶେଷ ହେବାକୁ ଯାଉଛି। ତେଣୁ ଉକ୍ତ ଆସନ ଏବେ ଖାଲି ହେବାକୁ ଯାଉଛି। ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ମଧ୍ୟରେ କେରଳରୁ କଂଗ୍ରେସର ବରିଷ୍ଠ ନେତା ଏକେ ଏଣ୍ଟୋନୀ ଓ ହିମାଚଳ ପ୍ରଦେଶରୁ ଆନନ୍ଦ ଶର୍ମା, ପଞ୍ଜାବରୁ ପ୍ରତାପ ସିଂହ ବାଜଓ୍ବା ଓ ଅକାଳୀ ଦଳ ନରେଶ ଗୁଜରାଲ ସାମିଲ ଥିବା ଜଣାପଡ଼ିଛି।

Share