Categories: ଜାତୀୟ

ରାଜସ୍ଥାନ ପରେ ହରିଆଣା କଂଗ୍ରେସର ଘୋଡ଼ା ବେପାର: ବିଧାୟକଙ୍କୁ ପଠାଗଲା ଛତିଶଗଡ଼

ଚଣ୍ଡିଗଡ଼,୩।୬: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ସେତିକି ସତର୍କ ହେଉଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ରାଜ୍ୟ ସଭା ନିର୍ବାଚନରେ ଘୋଡ଼ା ବେପାର ଭୟକୁ ଏଡ଼ାଇବା ପାଇଁ କଂଗ୍ରେସ ନିଜର ବିଧାୟକମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିବା ଜଣାପଡ଼ିଛି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ହରିୟାଣା ବିଧାୟକମାନଙ୍କୁ ଛତିଶଗଡକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ଦଳୀୟ ସୂଚନା ଅନୁଯାୟୀ ସମସ୍ତ କଂଗ୍ରେସ ବିଧାୟକଙ୍କୁ ପ୍ରଥମେ ଦିଲ୍ଲୀ ନିଆଯାଇଥିଲା, ପରେ ସେମାନଙ୍କୁ ବିମାନ ଯୋଗେ ସେଠାରୁ ରାୟପୁରକୁ ପଠାଯାଇଛି। ସୂଚନାଯୋଗ୍ୟ, ହରିଆଣା ୨ଟି ରାଜ୍ୟ ସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ ହେବ। ତେବେ ହରିଆଣା କଂଗ୍ରେସରୁ ରାଜ୍ୟ ସଭା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସର ଟାଣୁଆ ନେତା କୁଲଦୀପ ବିଷ୍ଣୋଇ ଦଳର ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ହାଇକମାଣ୍ଡ ଦଳର ବିଧାୟକଙ୍କ ସମ୍ପର୍କରେ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି। ଏନେଇ ଦଳ ପକ୍ଷରୁ ବିଧାୟକଙ୍କୁ ଏକାଠି କରି ହରିୟାଣା ଛତିଶଗଡ଼ର ରାୟପୁରକୁ ପଠାଯାଇଛି। ଅନ୍ୟପକ୍ଷେ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁ ନ ଥିବା ଚର୍ଚ୍ଚା ହେଉଛି।

Share