Categories: ଜାତୀୟ

ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ

କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାର ଏମାନଙ୍କ କଥା ଗ୍ରହଣ ନ କରୁଥିବା ବେଳେ ଏମାନେ ବି ଜିଦ୍‌ରେ ଅଟଳ ରହିଛନ୍ତି । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପରେ ଏବେ ପଶ୍ଚିମବଙ୍ଗ ମୁହାଁ ହେଲେଣି କୃଷକ । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଙ୍ଗଠନର ନେତା ପଶ୍ଚିମବଙ୍ଗ ପହଞ୍ଚି ଯାଇଥିବା ଜଣାପଡିଛି । ଏହାସହ ଆଗକୁ ସେଠାରେ ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୋଟ ନ ଦେବାକୁ କୃଷକ ନେତା ସାଧାରଣ ଜନତାଙ୍କୁ ବୁଝାଉଥିବା ଦେଖାଯାଇଛି । ଏହି ଅବସରରେ କୃଷକ ନେତା ରାଜେଶ ଟିକାଏତ ପଶ୍ଚିମବଙ୍ଗ ପହଞ୍ଚି ନନ୍ଦିଗ୍ରାମରେ ଏକ ରାଲି କରିବେ । ଏହାସହ କୋଲକାତାରେ ଆୟୋଜିତ ମହାପଞ୍ଚାୟତରେ ବି ଟିକାଏତ ଭାଗନେବେ । ଏହାପରେ ସନ୍ଧ୍ୟାରେ ନନ୍ଦିଗ୍ରାମରେ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଭାଷଣ ଦେବେ । ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କୃଷକ ନେତାମାନେ ପଶ୍ଚିମବଙ୍ଗର କୃଷକଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ କି ପଶ୍ଚିମବଙ୍ଗରେ ଭାଜପାକୁ ଭୋଟ ଦିଅନ୍ତୁ ନାହିଁ, ଦଳକୁ ବହିଷ୍କାର କରନ୍ତୁ । ଏହାପରେ କୃଷକମାନେ ପୂରା ପଶ୍ଚିମବଙ୍ଗରେ ଟ୍ରାକ୍ଟର ରାଲି କରିବାର ଯୋଜନା ରଖିଥିବା ଜଣାପଡିଛି ।

Share