Categories: ଜାତୀୟ

ଚିନି ମିଲ ଉଦ୍‌ଘାଟନ ପାଇଁ ଆସିଲେ ଅଜୟ ମିଶ୍ରାଙ୍କୁ କରାଯିବ ବିରୋଧ: ଟିକାଏତ

ଲଖିମପୁର,୨୩ ।୧୧: କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହର କରିନେବା ପରେ ଏବେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ‘ଟେନି’ଙ୍କୁ ଗିରଫ କରିବାକୁ ଦାବି କରାଯାଉଛି । ଭାରତୀୟ କୃଷକ ୟୁନିୟନର ପ୍ରବକ୍ତା ରାକେଶ ଟିକାଏତ କହିଛନ୍ତି, ଯଦି ଅଜୟ ମିଶ୍ରା ଲଖିମପୁରରେ ଚିନି ମିଲ ଉଦ୍‌ଘାଟନ କରିବାକୁ ଆସନ୍ତି ତେବେ ତାଙ୍କୁ ବିରୋଧ କରାଯିବ । କେବଳ ଯେ ତାଙ୍କୁ ବିରୋଧ କରାଯିବ ତା’ନୁହେଁ କେହି ଚାଷୀ ଉକ୍ତ ମିଲରେ ଆଖୁ ନ ଦେଇ ଜିଲା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇଯିବେ । ସେଥିରେ ଯେତେ ପରିମାଣର କ୍ଷତି ହେଉନା କାହିଁକି ସେଥିପ୍ରତି ଦୃଷ୍ଟି ଦିଆଯିବ ନାହିଁ । ସୂଚନାଯୋଗ୍ୟ, ଲଖିମପୁରରେ ଏକ ଚିନି ମିଲ୍ ଉଦ୍‌ଘାଟନ ପାଇଁ ଅଜୟ ମିଶ୍ରା ସେଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି ।
ଲଖିମପୁର ଖେରିରେ ଅକ୍ଟୋବର ୩ରେ କୃଷକମାନେ ଆନ୍ଦୋଳନ କରୁଥିବା ବେଳେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରା ସେମାନଙ୍କ ଉପରେ ଗାଡି ମଡାଇ ଦେବାରୁ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆଶିଷ ଗିରଫ ହୋଇଥିଲେ ବି ଅଜୟ ମିଶ୍ରାଙ୍କୁ ଗିରଫ ଦାବି କରିଛି କୃଷକ ସଙ୍ଗଠନ । ଏମିତିକି ରାକେଶ ଟିକାଏତ କହିଛନ୍ତି କଶ୍ମୀରର ଆତଙ୍କବାଦୀ ଯଦି ଲକ୍ଷ୍ନୌ ଜେଲରେ ବନ୍ଦ ହୋଇ ପାରୁଛନ୍ତି ତେବେ ଅଜୟ ମିଶ୍ରା ବି ଜଣେ ଆତଙ୍କବାଦୀ, ତାଙ୍କୁ ଗିରଫ କରାଯାଉ ।

Share