ରାଖୀରେ ଅଘଟଣ: ଭଉଣୀଙ୍କୁ ଛୁରି ଭୁଶିଲେ ଭାଇ

ବ୍ରହ୍ମପୁର,୧୯।୮ (ସୁବାସ ଚନ୍ଦ୍ର ପାଢ଼ୀ): ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାଖୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଆଜି ଭଳି ଦିନରେ ଜଣେ ଭାଇ ଭଉଣୀର ଜୀବନ ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ।
ମୃତକ ଜଣଙ୍କ ହେଲେ ପ୍ରଜକ୍ତା ପାଣିଗ୍ରାହୀ(୧୩)। ତାଙ୍କ ନିଜ ଘର ନୀମଖଣ୍ଡି ଲୋଚପଡା ଅଞ୍ଚଳରେ। ପରିବାରରେ ଆତଙ୍କର ଛାୟା ଖେଳିଯାଇଛି। ସୋମବାର ବଡ଼ ବଜାର ଥାନା ଜଗନ୍ନାଥ ବିହାର ୭ମ ଲେନସ୍ଥିତ ତାଙ୍କ ବଡ ବାପା ଘରେ ଅନୁଷ୍ଠିତ ଶ୍ରାଦ୍ଧ ଉତ୍ସକୁ ଯାଇଥିଲେ। ସେଠାରେ ଶ୍ରାଦ୍ଧ ସହ ସେ ରାକ୍ଷୀ ବନ୍ଧନ କରିଥିଲେ। ଏହି ସମୟରେ ପରିବାର ଲୋକେ ତଳେ ଥିବା ବେଳେ ଉପରେ ପିଲା ମାନେ ଖେଳୁଥିଲେ। ହଠାତ୍‌ କୌଣସି କାରଣକୁ ନେଇ ଏମ ଫର୍ମା ପଢୁଥିବା ଦାଦା ପୁଅ ଭାଇ ଆଶୁତୋଷ ପାଣିଗ୍ରାହୀ ଏକ ଛୁରିରେ ସହାୟତାରେ ପ୍ରଯକ୍ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ। ଅନ୍ୟ ଏକ ଦାଦା ପୁଅ ଭାଇ ଆୟୁଷ୍ମାନ ଏହାର ପ୍ରତିବାଦ କରିବାରୁ ଆଶୁତୋଷ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟ ଆହତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିଟି ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରଜକ୍ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମକେସିଜି ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।