Categories: ଫୁରସତ

ପବିତ୍ର ସମ୍ପର୍କର ସାକ୍ଷୀ ରାଖୀ

ଭଉଣୀ-ଭାଇ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାଖୀ। ପ୍ରତିବର୍ଷ ଏହି ଦିନକୁ ଅତି ଆଗ୍ରହର ସହ ଭଉଣୀଟିଏ ଚାହିଁ ରହିଥାଏ। ଭାବାତ୍ମକ ବନ୍ଧନରେ ବାନ୍ଧି ହେବାକୁ ଭାଇ ମଧ୍ୟ ରାଖୀପୂର୍ଣ୍ଣିମାକୁ ଅପେକ୍ଷା କରିଥାଏ। ବୁଧବାର ପାଳନ ହେବାକୁ ଥିବା ଭାରତୀୟ ସଂସ୍କୃତିର ଏହି ଗଣପର୍ବକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ବେଶ୍‌ ଉତ୍ସାହ ଉଦ୍ଦୀପନା। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଛାଇ ହୋଇଯାଇଛି ରାଖୀ ଦୋକାନ। ସବୁଠି ସୁନ୍ଦର ଓ ମନଲୋଭା ରାଖୀର ପସରା ମେଲିଥିବା ବେଳେ ଭାଇ ପାଇଁ ଏହି ସମ୍ପର୍କରେ ସୂତାଟିକୁ କିଣିସାରିଲାଣି ଭଉଣୀ।

 

ଭାଇଙ୍କ ହାତଙ୍କୁ ମାନିବା ଭଳି ରାଖୀ କିଣିଛି
ଭଉଣୀ-ଭାଇର ସମ୍ପର୍କ ସବୁଠାରୁ ଭିନ୍ନ। ଏହାକୁ କାହା ସହିତ ତୁଳନା କରାଯାଇପାରିବ ନାହିଁ। ପୌରାଣିକ ଯୁଗରୁ ଏହି ପର୍ବ କିମ୍ବଦନ୍ତୀ ହୋଇ ରହିଆସିଛି। ନିଜ ଭାଇଙ୍କ ସହ ୭ ଜଣ ଭାଇଙ୍କ ହାତକୁ ମାନିବା ଭଳି ରାଖୀ କିଣିଛି। ଠାକୁରଙ୍କ ନିକଟରେ ସେମାନଙ୍କ ମଙ୍ଗଳ କାମନା କରିଛି।
-ଲିପସା ପ୍ରଧାନ,
ଅଧ୍ୟାପିକା, କାମାକ୍ଷାନଗର କଲେଜ
ଏହି ଦିନକୁ କେବେ ଭୁଲି ନ ଥାଏ
ଭଉଣୀ-ଭାଇର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ସେଥିପାଇଁ ଭାଇ ପାଇଁ କିଣୁଥିବା ରାଖୀ ଅନ୍ୟ ସମସ୍ତଙ୍କଠାରୁ କିପରି ଭିନ୍ନ ହେବ ସେଥିପାଇଁ ଚେଷ୍ଟା କରିଥାଏ। ଚଳିତବର୍ଷ ରାଜ୍ୟ ବାହାରୁ ରାଖୀ ଆଣିଛି। ଯେଉଁଠି ବି ରହିଲେ ଏହି ଦିନକୁ କେବେ ଭୁଲି ନ ଥାଏ।
-ଶ୍ବାତୀ ଖେମକା, ଗୃହିଣୀ
ସ୍ନେହର ସୂତାଟିଏ ଯଥେଷ୍ଟ
ଭାଇ ପାଇଁ ମୂଲ୍ୟବାନ ରାଖୀ କିଣିବାର ଆବଶ୍ୟକତା ନାହିଁ। ସ୍ନେହରେ ସୂତାଟିଏ ବାନ୍ଧିଦେଲେ ତାହା ଯଥେଷ୍ଟ। ସେଥିପାଇଁ ପ୍ରତିବର୍ଷ ପରି ଫୁଲ ଓ ପତ୍ରରେ (ଇକୋ ଫ୍ରେଣ୍ଡଲି)
ରାଖୀ ତିଆରି କରିବା ସହ ଭାଇ ହାତରେ ବାନ୍ଧିବାକୁ ପ୍ରସ୍ତୁତି କରିଛି।
-ଅମ୍ରିତା ଦାସ, ସରକାରୀ କର୍ମଚାରୀ, ଅଁଳାବେରେଣୀ
ଶେଷ ୨ ଦିନରେ ଭଲ ବ୍ୟବସାୟ
ଦିନକୁ ଦିନ ରାଖୀ ବ୍ୟବସାୟ ବଢ଼ୁଛି। ଚଳିତବର୍ଷ ୧ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏ ରାଖୀ ରହିଛିି। ଛୋଟ ଷ୍ଟୋନ ଦିଆ ଓ ଶସ୍ୟରେ ନିର୍ମିତ ରାଖୀର ଅତ୍ଧକ ଚାହିଦା ରହିଛି। ୧୦ ଦିନ ହେବ ଦୋକାନ ଖୋଲିଥିଲେ ବି ଶେଷ ୨ ଦିନ ଭଲ ବ୍ୟବସାୟ ହୋଇଛି।
– ଅଶୋକ ସାହୁ, ରାଖୀ ଦୋକାନୀ

Share