ରାଖୀଙ୍କ ଉପରେ ପୁଣି ଭାଙ୍ଗିଲା ଦୁଃଖର ପାହାଡ଼

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଏବଂ ଆଦିଲ ଦୁରାନୀଙ୍କ ବିବାହ ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ସ୍ବୀକାରୋକ୍ତି ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚା ପାଲଟିଥିଲା। ରାଖୀଙ୍କ ସହ ବିବାହ ପରେ ଆଦିଲ କାନ୍ଦୁଥିବା ଭିଡିଓ ଦେଖି ସଲମାନ ଆଦିଲଙ୍କୁ ଡାକିଥିଲେ। ଏହା ପରେ ସମସ୍ୟାର ସମାଧାନ ହୋଇଥିଲା। ଏବେ ରାଖୀଙ୍କ ଜୀବନରେ ଆଉ ଏକ ସମସ୍ୟା ଆସିଛି। ତାଙ୍କ ମା’ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ରାଖୀ କହିଥିଲେ ସେ ଗର୍ଭବତୀ ଅଛନ୍ତି କିନ୍ତୁ ବର୍ତ୍ତମାନ ଗର୍ଭପାତ ହୋଇଥିବା ପୁଣି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଏହା ‘ବିଗ୍‌ ବସ୍‌ ମରାଠୀ ସିଜନ୍‌-୪’ରେ ମଧ୍ୟ କହିଥିଲେ। କିନ୍ତୁ କେହି ଏହାକୁ ଗୁରୁତର ସହ ନେଇ ନ ଥିଲେ। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀଙ୍କ ପୋଷ୍ଟ ଜରିଆରେ ରାଖୀଙ୍କ ଗର୍ଭପାତ ବିଷୟରେ ଜାଣିବାକୁ ମିଳିଛି। ଏଥିରେ ଲେଖାଅଛି, ‘ଆମେ ସବୁବେଳେ ସମସ୍ତଙ୍କୁ ହସାଉଥିବା ରାଖୀଙ୍କୁ ହାଲୁକା ଭାବେ ଗ୍ରହଣ କରିଥାଉ। ଦୁଃଖର ବିଷୟ ସେ ଏହି ସମୟରେ ଏକ ଯନ୍ତ୍ରଣାଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏହି ଖରାପ ଖବର ତାଙ୍କ ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଆସିଛି।

ରାଖୀ ନିଜେ ଗର୍ଭପାତର ଖବରକୁ ନିଶ୍ଚିତ କରିଛନ୍ତି। ଭାଇରାଲ ଭୟାନୀଙ୍କ ସହ ବାର୍ତ୍ତାଳାପରେ ରାଖୀ ତାଙ୍କ ଗର୍ଭଧାରଣ ବିଷୟରେ ପ୍ରକାଶ କରିଥିଲେ। ଗର୍ଭଧାରଣ ବିଷୟରେ ରାଖୀ କହିଛନ୍ତି, ‘ହଁ ଭାଇ, ମୁଁ ଗର୍ଭବତୀ ଥିଲି ଏବଂ ମୁଁ ବିଗ୍‌ ବସ ମରାଠୀ ଶୋ’ରେ ମଧ୍ୟ ଏହା ଘୋଷଣା କରିଥିଲି, କିନ୍ତୁ ସମସ୍ତେ ଏହାକୁ ଥଟ୍ଟା ବୋଲି ଭାବିଥିଲେ ଏବଂ ଏହାକୁ କେହି ଗୁରୁତର ସହ ନେଇ ନ ଥିଲେ’।

ରାଖୀଙ୍କ ବିବାହ ପରେ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ରାଖୀ ଅନେକ ସାକ୍ଷାତକାରରେ ତାଙ୍କ ଗର୍ଭଧାରଣକୁ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ଲାଗୁଥିଲା, ରାଖୀ ଗର୍ଭବତୀ ହେତୁ ବୋଧେ ବିବାହ ଘୋଷଣା କରିଛନ୍ତି। କିନ୍ତୁ ରାଖୀଙ୍କ ଗର୍ଭପାତ କଥା ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Share