Categories: ଜାତୀୟ

ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁନ୍ଦରୀଙ୍କୁ ଡାକରା

ନୂଆଦିଲ୍ଲୀ,୨୫।୮ : ବଲିଉଡ୍‌ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ରାଣା ଡଗୁବତିଙ୍କ ବ୍ୟତୀତ ୧୦ ଜଣଙ୍କୁ ୪ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ପଚରାଉଚୁରା ପାଇଁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ରାକୁଲଙ୍କୁ ସେପ୍ଟେମ୍ବର ୬ରେ, ବାହୁବଳି ଆକ୍ଟର ଡଗୁବତିଙ୍କୁ ୮ରେ, ତେଲୁଗୁ ଆକ୍ଟର ରବି ତେଜାଙ୍କୁ ୯ରେ ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ୩୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଅଭିଯୁକ୍ତଙ୍କ ତାଲିକାରେ ଉପରୋକ୍ତ ଟଲିଉଡ୍‌ ଆକ୍ଟରଙ୍କ ନାମ ନାହିଁ।

ବେଆଇନ ଟଙ୍କା ନେଣଦେଣରେ ସେମାନଙ୍କ ସମ୍ପୃକ୍ତି ଅଛି କି ନାହିଁ, ଏବେ ଠୁ କୁହାଯାଇପାରିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୨୦୧୭ରେ ତେଲେଙ୍ଗାନା ଏକ୍ସାଇଜ ଓ ନିଷେଧ ବିଭାଗ ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲା। ଏ ସଂକ୍ରାନ୍ତରେ ରୁଜୁ ହୋଇଥିବା ୧୨ ମାମଲା ମଧ୍ୟରୁ ୧୧ଟି ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାପରେ ଏକ୍ସାଇଜ ବିଭାଗର ମାମଲା ଉପରେ ତଦନ୍ତ ଆରମ୍ଭ କରିଥିଲା ଇଡି। ଏପର୍ଯ୍ୟନ୍ତ ୩୦ ଜଣ ଗିରଫ ହୋଇସାରିଛନ୍ତି। ଅନ୍ୟ ୬୨ ଜଣଙ୍କୁ ତେଲେଙ୍ଗାନା ଏକ୍ସାଇଜ ବିଭାଗ ପଚରାଉଚୁରା କରିସାରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ୧୧ ଜଣଙ୍କ ନାମ।

Share