ରକୁଲ ‘ସ୍ତ୍ରୀ ନମ୍ବର ୧’

ମୁମ୍ବାଇ:ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ବିବାହ କରିବାପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମଦିନ। ରକୁଲଙ୍କ ଜନ୍ମଦିନକୁ ସ୍ବାମୀ ଜ୍ୟାକି ଭଗ୍‌ନାନୀ ସ୍ବତନ୍ତ୍ର ଭାବେ ସେଲିବ୍ରେଟ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟଗ୍ରାମରେ ରାକୁଲଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ‘ସ୍ତ୍ରୀ ନମ୍ବର ୧’ ଭାବେ ଦର୍ଶାଇଛନ୍ତି। ରକୁଲଙ୍କ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ତାଙ୍କ ପାଇଁ ସ୍ବତନ୍ତ୍ର ଓ ଅଭୁଲା ହୋଇଥିବା ଜ୍ୟାକି କହିଛନ୍ତି। ସ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଇନ୍‌ଷ୍ଟାଗ୍ରାମରେ ତାଙ୍କ ଦାମ୍ପତ୍ୟ ଜୀବନର କିଛି ସ୍ମରଣୀୟ ମୁହୂର୍ତ୍ତ ସହ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ରକୁଲ ଓ ଜ୍ୟାକିଙ୍କର ବହୁ ଫଟୋଶୁଟ୍‌, ଇଭେଣ୍ଟ, ଛୁଟି, ବିବାହ ସମାରୋହ ଏବଂ ବିବାହ ପରବର୍ତ୍ତୀ ସମୟର ସୁନ୍ଦର ଓ ଚମତ୍କାର ସ୍ମୃତି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରକୁଲଙ୍କ ସହ ତାଙ୍କର ଯାତ୍ରା ବିଷୟରେ ମନେପକାଇ ଜ୍ୟାକି ଏହି ପୋଷ୍ଟର କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ରକୁଲଙ୍କ ସହ ପ୍ରଥମ ସାକ୍ଷାତ୍‌ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନ ହସଖୁସିରେ ଭାରି ରହିଛି। ତାଙ୍କ ସଂସ୍ପର୍ଶରେ ଆସିବା ପରଠାରୁ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଘଟିଛି। ତାଙ୍କ ପାଇଁ ସର୍ବଦା ଗର୍ବିତ ଅନୁଭବ କରିଥାଏ। ସେ ହେଉଛନ୍ତି ‘ସ୍ତ୍ରୀ ନମ୍ବର ୧’।

Share