ମଣିପୁରରେ ଏକତା ପାଇଁ ଆମେରିକାରେ ରାଲି

ଓ୍ବାଶିଂଟନ,୧୯।୯: ମଣିପୁରରେ ଦୀର୍ଘ ୪ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହିଂସା ଜାରି ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଏକତା ଆଣିବା ପାଇଁ ଆମେରିକାରେ ରାଲି ଅନୁଷ୍ଠିତ ହୋଇଛି। ସେଠାରେ ରହୁଥିବା ଜୋ ସମ୍ପ୍ରଦାୟ ଭାରତୀୟ ଦୂତାବାସ ଆଗରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି। ହିଂସା ଯୋଗୁ ମଣିପୁରରେ ରହୁଥିବା ମେଇତି ଓ କୁକି ସମ୍ପ୍ରଦାୟ ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ଆମେରିକାରେ ଥିବା ଜୋମି ଇନକୁଆନ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ହିଂସା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ଜୋମି-କୁକି ସମ୍ପ୍ରଦାୟ ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ରାଲିରେ ଜୋମି ସମ୍ପ୍ରଦାୟର ସଦସ୍ୟ ଓ ସମର୍ଥକମାନେ ଯୋଗଦେଇ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଜୋମି ଇନ୍‌କୁଆନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗଦେଇ କହିଥିଲେ, ‘ଆମ ଭୂମି, ଆମ ଅଧିକାର, ଆମର ସ୍ବାଧୀନତା’ ଏଗୁଡ଼ିକ କେବଳ ସ୍ଲୋଗାନ ନୁହେଁ ବରଂ ଆମ ସଂଘର୍ଷର ଆତ୍ମା। ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ଆମ ଲୋକମାନେ ପ୍ରଭାବିତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ୪ ମାସ ଧରି ମଣିପୁରରେ ହିଂସାକାଣ୍ଡ ଲାଗି ରହିଥିବାବେଳେ ଏଥିରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି।

Share