ଏବେ ଖାଲି ପାଦରେ ଚାଲୁଛନ୍ତି ରାମ ଚରଣ, ପଛରେ ରହିଛି ବଡ଼ କାରଣ

ଦକ୍ଷିଣ ଅଭିନେତା ରାମ ଚରଣ ତେଜାଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ରାମଚରଣ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଖାଲି ପାଦରେ ଥିଲେ। ବିମାନବନ୍ଦରରୁ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ରାମ ଚରଣ ବିନା ଚପଲରେ ତାଙ୍କ ପୋଷା କୁକୁର ସହ ନଜର ଆସିଥିଲେ। ତେବେ ସେ ଚପଲ କାହିଁକି ପିନ୍ଧି ନାହାନ୍ତି ତାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ରାମ ଚରଣ ଆୟାପ୍ପା ଦୀକ୍ଷା ନେଇଛନ୍ତି। ପ୍ରତିବର୍ଷ ସାବରିମାଲା ମନ୍ଦିରକୁ ଯିବା ପୂର୍ବରୁ ସେ ୪୧-୪୫ ଦିନ ପାଇଁ ଏକ ସାତ୍ତ୍ୱିକ ଜୀବନଯାପନ କରନ୍ତି। ଏହି ସମୟରେ ସେ କଳା ପୋଷାକ ପିନ୍ଧନ୍ତି, ଚପଲ ପିନ୍ଧନ୍ତି ନାହିଁ ଏବଂ ଚଟାଣରେ ଶୋଇଥାନ୍ତି।
ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ରାମ ଚରଣ ତେଜା ଏବଂ ଜୁନିଅର ଏନ୍‌ଟିଆର୍‌ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି।

Share