Advertisement

ୱେଟ୍‌ଲସ୍‌ ପାଇଁ ସଲମାନଙ୍କୁ ଶ୍ରେୟ ଦେଲେ ରାମ

ମୁମ୍ବାଇ: ନିକଟରେ ଅଭିନେତା ରାମ କପୁରଙ୍କର ଲୁକ୍‌ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ତଥା ଟିଭି ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ନିଜର ପ୍ରାୟ ୫୫ କେ.ଜି. ଓଜନ ହ୍ରାସ କରିଥିଲେ। ମଙ୍ଗଳବାର ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ରାମ ତାଙ୍କ ଓଜନ ହ୍ରାସ ସମ୍ପର୍କିତ ଯାତ୍ରାକୁ ବଖାଣିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ବ୍ୟାୟାମ କରିବା ସହ ଫିଟ୍‌ନେସ୍‌ ପ୍ରତି ଗୁରୁତ୍ୱ ଦେବାରେ ସେ ଅଭିନେତା ସଲମାନ ଖାନ୍‌ଙ୍କଠାରୁ ଅନୁପ୍ରାଣିତ ହୋଇଥିବା କହିଛନ୍ତି।
କହିଛନ୍ତି, ସଲମାନଙ୍କ ଜୀବନଚର୍ଯ୍ୟା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେ ଜଣେ ପେସାଦାର ଅଭିନେତା ମଧ୍ୟ। ନିଜ ଫିଟ୍‌ନେସ୍‌ ପାଇଁ ସେ ଖୁବ୍‌ କଠିନ ପରିଶ୍ରମ କରନ୍ତି। ସଲମାନ ତାଙ୍କ ଫିଲ୍ମ ଶୁଟିଂ ସାରି ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି। ଏହାସତ୍ତ୍ୱେ ମଧ୍ୟ ସେ ଭୋର୍‌ ୪ଟା ସୁଦ୍ଧା ଉଠି ୱାର୍କ ଆଉଟ୍‌ କରି ଶରୀରକୁ ଫିଟ୍‌ ରଖନ୍ତି। ସଲମାନଙ୍କ ଏହି ରୁଟିନ୍‌ ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ରାମ କହିଛନ୍ତି। ଏହି ସାକ୍ଷାତ୍‌କାରରେ ରାମ ତାଙ୍କ ଡାଏଟ୍‌ ଏବଂ ଫିଟ୍‌ନେସ୍‌ ରୁଟିନକୁ ମଧ୍ୟ ଶେୟାର କରିଛନ୍ତି। ସେ ଦେଢ଼ ବର୍ଷ ପୂର୍ବରୁ ନିଜର ଓଜନ ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ଅବଧି ମଧ୍ୟରେ ସେ ନିଜର ୫୫ କେ.ଜି. ଓଜନ ହ୍ରାସ କରିବାରେ ସଫଳ ହୋଇଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା, ଯାହାଫଳରେ ଏହି ଓଜନ ହ୍ରାସ ଯାତ୍ରାରେ ବାଧା ସୃଷ୍ଟି ହୋଇଥିଲା ବୋଲି ରାମ କହିଛନ୍ତି। ସମ୍ପ୍ରତି ସେ ନିଜର ଓଜନ ହ୍ରାସ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିବା ରାମ କହିଛନ୍ତି। ପ୍ରକାଶ ଯେ, ରାମ ଛୋଟ ପରଦାର ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ଢେର ପ୍ରଶଂସା ସାଉଣ୍ଟିଛନ୍ତି। ‘କସମ ସେ’, ‘ବଡ଼େ ଅଚ୍ଛେ ଲଗତେ ହେ’ ପରି ଧାରାବାହିକ ତାଙ୍କୁ ପ୍ରସିଦ୍ଧି ଦେଇଥିଲା। ଏହାସହ ସେ ବହୁ ବଲିଉଡ୍‌ ଚଳଚ୍ଚିତ୍ର ଏବଂ ୱେବ୍‌ ସିରିଜରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel