ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ ହୋଇ ରହିଯାଇଛନ୍ତି ବୋଲି କହିଲେ ଚଳେ। ସେ ତାଙ୍କର ଫିଲ୍ମକୁ ହିଟ୍‌ କରାଇବାକୁ ଯେକୌଣସିସ୍ତରକୁ ଖସିଯାଇପାରନ୍ତି ବୋଲି କୁହାଯାଏ। ଏଥିଯୋଗୁ ସେ କିଛି ନା କିଛି ବିବାଦରେ ଛନ୍ଦି ହୋଇ ପଡ଼ନ୍ତି। ନିକଟରେ ଟୁଇଟରରେ ଭାଇରାଲ ହେଉଥିବା କିଛି ଫଟୋ ଏବଂ ଭିଡିଓ ଏହାର ପ୍ରମାଣ।

ରାମ ଗୋପାଳ ନିଜର ଆଗାମୀ ଫିଲ୍ମ ‘ଡେଞ୍ଜରସ୍‌’ର ଅଜବ ଢଙ୍ଗରେ ପ୍ରମୋଶନ କରୁଛନ୍ତି। ସେ ଫିଲ୍ମର ଅଭିନେତ୍ରୀ ନୈନା ଗାଙ୍ଗୁଲିଙ୍କୁ ଫୁଟ୍‌ ମସାଜ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ତେବେ ଏହା ଅଜବ କାହିଁକି ବୋଲି ଆପଣ ପଚାରିପାରନ୍ତି। କହିବାକୁ ଚାହିଁବୁ ସେ ଏହାକୁ ନିଜ ପାଟିରେ କରୁଛନ୍ତି। ଅଭିନେତ୍ରୀଙ୍କ ସାମ୍ନାରେ ରାମ ଗୋପାଳ ତଳେ ବସିଛନ୍ତି। ସେ ତାଙ୍କ ଗୋଡକୁ ହାତରେ ଧରି କ୍ୟାମେରାକୁ ପୋଜ୍‌ ଦେଉଛନ୍ତି। ଏ ସଂକ୍ରାନ୍ତରେ ଭିଡିଓ ସେ ରାତି ୯.୩୦ ମିନିଟରେ ଛାଡ଼ିବେ ବୋଲି କହିଛନ୍ତି।

ରାମ ଗୋପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। କେହି କେହି ନିର୍ଦ୍ଦେଶକଙ୍କ ଏଭଳି ଅବସ୍ଥା ଦେଖିପାରୁ ନ ଥିବା କହୁଛନ୍ତି। ନିଜର ସ୍ଥାନରୁ ସେ ବହୁତ ତଳକୁ ଖସିଗଲେଣି ବୋଲି ବି ଅନେକ କହୁଛନ୍ତି।

କହିରଖୁଛୁ ଯେ, ରାମ ଗୋପାଳଙ୍କ ଫିଲ୍ମ ‘ଡେଞ୍ଜରସ୍‌’ଏକ ଲେସବିଆନ୍‌ କ୍ରାଇମ୍‌ ଷ୍ଟୋରୀ। ଏଥିରେ ଅପ୍ସରା ରାଣୀ ଏବଂ ନୈନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଅଛନ୍ତି। ଡିସେମ୍ବର ୯ରେ ଏହା ସିନେମାଘରେ ରିଲିଜ ହେବ।

Share