ନୃତ୍ୟ ଗୋପାଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୩।୮: ଦେଶରେ କରୋନା ପଜିଟିଭ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚିିଲାଣି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବେ ଏହା କବଳରେ। ଇତିମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ନୃତ୍ୟ ଗୋପାଳଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ଆଗ୍ରାର ସିଏମ୍‌ଓ ଓ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିବା ସହ କରୋନା ପରୀକ୍ଷା କରାଇଥିଲେ। ତେବେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ବର୍ତ୍ତମାନେ ସେ ମଥୁରାରେ ଥିବା ବେଳେ ତାଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତ ନୃତ୍ୟ ଗୋପାଳ, ତାଙ୍କ ସମର୍ଥକ ଓ ଜିଲାପାଳଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଅନ୍ୟପଟେ ନୃତ୍ୟ ଗୋପାଳ କରୋନା ପଜିଟିଭ୍‌ ବାହାରିବା ପରେ ଚିନ୍ତା ବଢ଼ାଇଦେଇଛି। କାରଣ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମିପୂଜନ ଓ ଶିଳାନ୍ୟାସ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମଞ୍ଚ ଉପରେ ରହିଥିଲେ। ତେବେ କୁହାଯାଉଛି ନୃତ୍ୟ ଗୋପାଳ ପଜିଟିଭ୍‌ ହେବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି।

Share