ଚାଲିଛି ରାମାୟଣ ପାଠ: ରାମ, ଲକ୍ଷ୍ମଣ, ସୀତା, ହନୁମାନଙ୍କ ବେଶରେ ବୁଲିଲେ ପିଲା

ଉମରକୋଟ,୨୧।୧(ସନ୍ତୋଷ ଶତପଥୀ): ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ରାମ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଶ୍ରୀରାମ ମନ୍ଦିରକୁ ଫୁଲ, ଆଲୋକ ମାଳାରେ ସଜାଯିବା ସହ କେଶରୀବେଡ଼ା ଗ୍ରାମର ରାମ ଚରିତ ମାନସ ଟିମ୍‌ ପକ୍ଷରୁ ଅଖଣ୍ଡ ରାମାୟଣ ପାଠ କରାଯାଉଛି। ଏହି ଉତ୍ସବକୁ ସଫଳ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ସଙ୍ଗଠନ, ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା, ଭକ୍ତ ସହଯୋଗ କରୁଛନ୍ତି।

ରବିବାର ପିଲାମାନେ ରାମ, ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ଏହି ସମୟରେ ଯୁବତୀ, ମହିଳା ଓ ରାମ ଭକ୍ତ ସଂକୀର୍ତ୍ତନ କରିଥିଲେ। ରବିବାର ସାରେ ମନ୍ଦିରରେ ଆଧ୍ୟାତ୍ମିକ ଚେତନା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ସୋମବାର ମନ୍ଦିରରେ ହୋମଯଜ୍ଞ, ପୂଜା ପାଠ କରାଯିବ। ଏଠାରେ ଭକ୍ତଙ୍କ ପାଇଁ ଅନ୍ନସେବନ ବ୍ୟବସ୍ଥା କରାଯାଇଛି।

ସେହିଭଳି ୧ନମ୍ବର ୱାର୍ଡସ୍ଥିତ ଦରଗଗୁଡ଼ାରେ ଥିବା ରାଧାକୃଷ୍ଣ ମନ୍ଦିରରେ ଏକ ହଜାର ଆହୁତି ଦେଇ ଯଜ୍ଞ କରାଯାଉଛି। ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି। ସହରର ଯୁବ ଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ସୋମବାର ସାରେ ରାମ ମନ୍ଦିରରୁ ଡିଏନ୍‌କେ ଖେଳ ପଡିଆ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ବାହାରିବ। ଡିଏନ୍‌କେସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ସହରରେ ଥିବା ମଦ ଓ ଆମିଷ ଦୋକାନ ବନ୍ଦ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର ପୂର୍ବକ ଅନୁରୋଧ କରାଯାଇଛି।

Share