ଅଯୋଧ୍ୟା, ୫।୮: ରାମମନ୍ଦିର ନିର୍ମାଣର ଭୂମି ପୂଜନ ଶେଷ ହୋଇଛି। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ। ଏହା ଦେଶବାସୀଙ୍କୁ ସର୍ବଦା ଭାଇଚାରାର ବାର୍ତ୍ତା ସମ୍ପର୍କରେ ସୂଚନା ଦେବ। ଅତୀତରେ ମନ୍ଦିରକୁ ଧ୍ୱଂସ କରିବାର ଅପଚେଷ୍ଟା ହୋଇଥିଲା। ତେବେ ପ୍ରତି ଭାରତୀୟଙ୍କ ମନରେ ରାମ ଥିବାରୁ ଶେଷରେ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି। ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁ ଏହାର ପରିକଳ୍ପନା ସତ୍ୟ ହୋଇପାରିଛି। ଶକ୍ତିଶାଳୀ ଭାରତ ହିଁ ସମୃଦ୍ଧ ଏବଂ ଶାନ୍ତ ଭାରତର ରୂପ ନେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।