ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୦୦ ଜଣ ଅତିଥି ଯୋଗଦେବେ ବୋଲି ଯୋଜନା କରାଯାଇଛି। ଏହି ଦିନ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଏନେଇ କିଛି ପାକିସ୍ତାନୀ ଆତଙ୍କବାଦୀ ଭାରତକୁ ଆସିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇ ଭାରତକୁ ପଠାଯାଇଛି। ଅଗଷ୍ଟ ୧୫ରେ ମଧ୍ୟ ଆକ୍ରମଣ ଲାଗି ଆତଙ୍କବାଦୀମାନେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା କୁହାଯାଉଛି। ଭାରତୀୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍(‘ର’) ପକ୍ଷରୁ କୁହାଯାଇଛି ଯେ, ୩ରୁ ୫ ଜଣ ଆତଙ୍କବାଦୀଙ୍କୁ ଏଥିଲାଗି ଆଇଏସ୍ଆଇ ଭାରତକୁ ପଠାଇଛି। କେତେକ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ‘ର’ ପକ୍ଷରୁ ସୂଚନା ଦିଆଯାଇଛି।