Categories: ଜାତୀୟ

ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ଚଣ୍ଡିଗଡ଼,୨୦।୭: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ପୁଣିଥରେ ୩୦ ଦିନର ପାରୋଲ ମିଳିଛି। କିଛିଦିନ ପରେ ରାମ ରହିମ ରୋହତକର ସୁନାରିୟା ଜେଲରୁ ବାହାରକୁ ବାହାରିବେ। ଜେଲ ପ୍ରଶାସନ ରାମ ରହିମଙ୍କୁ ସିରସା ଡେରା ଯିବାକୁ ଅନୁମତି ଦେଇ ନାହାନ୍ତି। ପୁଣିଥରେ ତାଙ୍କୁ ଉତ୍ତର ପ୍ରଦେଶର ବାଗପାଟରେ ଅବସ୍ଥିତ ବରନାୱା ଆଶ୍ରମରେ ରହିବାକୁ ପଡିବ। ତେଣୁ ଏହାକୁ ନେଇ ବର୍ଣ୍ଣୱା ଆଶ୍ରମର ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ସିରସା ଠାରୁ ଘୋଡା ଏବଂ ଗାଈ ଅଣାଯାଇଛି। ଦଣ୍ଡାଦେଶ ପରେ ରାମ ରହିମଙ୍କର ଏହା ହେଉଛି ସପ୍ତମ ପାରୋଲ। କେବଳ ଏତିକି ନୁହେଁ, ଚଳିତ ବର୍ଷ ଜାନୁଆରୀରେ ରାମ ରହୀମ ୪୦ ଦିନ ପାଇଁ ପାରୋଲ ପାଇଥିଲେ।

ତାଙ୍କୁ ତାଙ୍କର ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ୨୪ଅକ୍ଟୋବର ୨୦୨୦ରେ ପ୍ରଥମ ଥର ପାଇଁ ଗୋଟିଏ ଦିନ ପାରୋଲ ଦିଆଯାଇଥିଲା।
ଏହାପରେ ୨୧ ମଇ ୨୦୨୧ରେ ଡେରା ମୁଖ୍ୟଙ୍କୁ ଦ୍ୱିତୀୟ ଥର ପାଇଁ ପାରୋଲ ଦିଆଯାଇଥିଲା ଯାହାକି ତାଙ୍କ ଅସୁସ୍ଥ ମା’ଙ୍କୁ ପୁଣି ଥରେ ଭେଟିବା ପାଇଁ ସେ ଯାଇଥିଲେ।
ତୃତୀୟ ଥର ପାଇଁ, ଫେବୃଆରୀ ୭, ୨୦୨୨ରେ, ରାମ ରହିମଙ୍କୁ ୨୧ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଚତୁର୍ଥ ଥର ପାଇଁ, ଜୁନ ୨୦୨୨ ରେ, ଡେରା ମୁଖ୍ୟଙ୍କୁ ଏକ ମାସ ପାଇଁ ପାରୋଲ ଦିଆଯାଇଥିଲା।
ପଞ୍ଚମ ଥର ପାଇଁ, ଅକ୍ଟୋବର ୨୦୨୨ ରେ, ଡେରା ମୁଖ୍ୟଙ୍କୁ ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଷଷ୍ଠ ଥର ପାଇଁ, ୨୧ ଜାନୁୟାରୀ ୨୦୨୩ରେ, ତାଙ୍କୁ ପୁଣି ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଅନ୍ୟପକ୍ଷରେ, ଜୁଲାଇ ୨୦, ୨୦୨୩ରେ, ସପ୍ତମ ଥର ପାଇଁ ପୁନର୍ବାର ଡେରା ମୁଖ୍ୟଙ୍କୁ ପାରୋଲ ଦିଆଯାଇଛି। ଯାହାର ଅବଧି ୩୦ ଦିନ ରହିଛି।

Share