ବିବାଦରେ ‘ରାମସେତୁ’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦିନ ଆଜିକାଲି ଭଲ ଚାଲି ନ ଥିବା ଜଣାପଡ଼ିଛି। ଗୋଟିଏ ପଟେ ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପ୍ରୀତିରାଜଙ୍କ ସମେତ ତାଙ୍କ ଫିଲ୍ମ କ୍ରମାଗତ ଭାବେ ଫ୍ଲପ୍‌ ହେଉଛି। ଅନ୍ୟପଟେ ଯେଉଁ ଫିଲ୍ମଗୁଡ଼ିକ ରିଲିଜ ପାଇଁ ପ୍ରସ୍ତୁତ ରହିଛି, ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ ରିଲିଜ ହେବା ପୂର୍ବରୁ ମଧ୍ୟ କୋର୍ଟରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଫିଲ୍ମର ବିଷୟବସ୍ତୁ ସମ୍ପର୍କରେ ଅକ୍ଷୟ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଖବର ମିଳିଛି।

ଭାଜପା ନେତା ତଥା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ଟୁଇଟ୍‌ କରି କହିଛନ୍ତି, ମୁଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ କର୍ମା ମିଡିଆ ବିରୋଧରେ ମାମଲା ଦାୟର କରିବାକୁ ଯାଉଛି, କାରଣ ସେ ତାଙ୍କ ଫିଲ୍ମ ‘ରାମସେତୁ’ରେ ଭୁଲ୍‌ ଧାରଣା ଉପସ୍ଥାପନ କରିଛନ୍ତି। ଯେଉଁଥିରେ ‘ରାମ ସେତୁ’ର ଭାବମୂର୍ତ୍ତି ନଷ୍ଟ ହୋଇଛି। ମୋର ଓକିଲ ସତ୍ୟ ସାଭରଓ୍ବାଲ ଏହି ସମସ୍ତ ବିଷୟ ଉପରେ ଦୃଷ୍ଟି ରଖିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ‘ରାମସେତୁ’ର ଏକ ପୋଷ୍ଟର ରିଲିଜ ହୋଇଥିଲା। ଏହି ପୋଷ୍ଟରରେ ଅକ୍ଷୟ କୁମାର ଏବଂ ଜ୍ୟାକ୍‌ଲିନ କିଛି ଖୋଜୁଥିବା ଦେଖିବାକୁ ମିଳିଥିଲା। ସତ୍ୟଦେବ ମଧ୍ୟ ସେମାନଙ୍କ ସହିତ ଥିଲେ। ଏହି ପୋଷ୍ଟରୁ ଅନୁମାନ କରାଯାଉଥିଲା, ଏହି ତିନିଜଣ କେଉଁ ଗୁମ୍ଫାରେ ପହଞ୍ଚିଛନ୍ତି ଏବଂ ଟର୍ଚ୍ଚ ଲଗାଇ କିଛି ଖୋଜିବାକୁ ଚେଷ୍ଟା କରୁଛନ୍ତି।

ଯଦିଓ ଅକ୍ଷୟ କୁମାର ଏହି ପୋଷ୍ଟ ପରେ ଟ୍ରୋଲର ଶିକାର ହୋଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କାରଣ ଜ୍ୟାକଲିନଙ୍କ ହାତରେ ମଶାଲ ଥିଲା। ତେଣୁ ଲୋକମାନେ ଜାଣିବାକୁ ଚାହିଁଥିଲେ ଯଦି ହାତରେ ମଶାଲ, ତେବେ ଟର୍ଚ୍ଚ କାହିଁକି ଜାଳିଛ? ପୋଷ୍ଟରରେ ଚଳିତ ବର୍ଷ ଦୀପାବଳିରେ ଫିଲ୍ମର ରିଲିଜ ତାରିଖ ବି ଲେଖାଥିଲା। ବର୍ତ୍ତମାନ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ରକ୍ଷାବନ୍ଧନ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।।

 

Share