ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା

ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍‌ରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟିଏ ଖୋଜୁଥିବାବେଳେ ହୋଟେଲ ଭଡା ଏବେ ଆକାଶଛୁଆଁ ହୋଇଛି। ଅଯୋଧ୍ୟାରେ ଏବେ ରହିବା ଠାରୁ ଆରମ୍ଭ କରି ଖାଦ୍ୟ ଯାଏଁ ସବୁ ଦାମ୍‌ ବଢିବାରେ ଲାଗିଛି।
ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ଅଯୋଧ୍ୟାରେ ହୋଟେଲ ବୁକିଂ ୮୦ପ୍ରତିଶତ ବୃଦ୍ଧି ପାଇଛି। ମିଡିୟମ ରୁମ୍‌ ଠାରୁ ଆରମ୍ଭ କରି ଲକ୍ସରି ରୁମ୍‌ ଯାଏଁ ସବୁର ଦାମ୍‌ ୫ଗୁଣ ଅଧିକ ବୃଦ୍ଧି ପାଇଛି। କହିରଖୁଛୁ କି, ଗୋଟିଏ ଲକ୍ସରୀ ରୁମ୍‌ର ଦାମ୍‌ ସେଠାରେ ୧ଲକ୍ଷ ଟଙ୍କା ରହିଛି। ହୋଟେଲର ଦାମ୍‌ ଏତେ ଅଧିକ ଥିଲେ ବି ସବୁ ରୁମ୍‌ ବୁକିଂ ହୋଇଯାଉଛି।
ଅନୁମାନ କରାଯାଉଛି କି, ରାମ ମନ୍ଦିର ଉଦ୍‌ଘାଟନୀ ଦିନ ପ୍ରାୟ ୩ରୁ ୫ଲକ୍ଷ ଲୋକ ଅଯୋଧ୍ୟା ପହଞ୍ଚିବେ। ତେବେ ଏବେ ଠାରୁ ସହରର ଅଧିକାଂଶ ହୋଟେଲ ବୁକିଂ ସରିଲାଣି। ଅଯୋଧ୍ୟାରେ ଥିବା Cygnett Collection Hotel ଗୋଟିଏ ଦିନର ଭଡା ୭୦ହଜାର ୨୪୦ଟଙ୍କା ଥିବାବେଳେ ପୂର୍ବବର୍ଷ ଜାନୁଆରୀରେ ଏହାର ଭଡା ମାତ୍ର ୧୬ହଜାର ୮୦୦ଟଙ୍କା ଥିଲା। ସେହିପରି ନିକଟରେ ଖୋଲିଥିବା Park Inn Radissonର ସବୁଠାରୁ ଲକ୍ସରୀ ରୁମ୍‌ର ଦାମ୍‌ ୧ଲକ୍ଷ ଟଙ୍କା ରହିଛି।

Share