ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଡାଇରେକ୍ଟର ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ୍ ଟ୍ରେନିଂ(ଡିଏମ୍ଇଟି) ଭାବେ ଡା. ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ୩୧ ତାରିଖରେ ଡିଏମ୍ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ନୂଆ ଡିଏମ୍ଇଟି ଦାୟିତ୍ୱ ନେବେ। ଡା. ମହାନ୍ତି ବର୍ତ୍ତମାନ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବରରୁ ଡିଏମ୍ଇଟି ଡା. ସିବିକେ ମହାନ୍ତି କାର୍ଯ୍ୟ କରୁଛନ୍ତି। କରୋନା ମାହାମାରୀକୁ ମୁକାବିଲା କରିବା ପାଇଁ ସରକାରଙ୍କ ମାର୍ଗଦର୍ଶନ କରିବା ସହ କୋଭିଡ୍ ପରିଚାଳନା କ୍ଷେତ୍ରରେ ଉପାଦେୟ ପରାମର୍ଶ ଦେଉଛନ୍ତି। ଏପରିକି ଓଡ଼ିଶାବାସୀଙ୍କୁ ମହାମାରୀ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭୂତିକୁ ଅଧାର କରି ସରକାର ମଧ୍ୟ କୋଭିଡ୍ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି। ଗତ ଏପ୍ରିଲ ୩୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।