ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ: ଅସନ୍ତୋଷ ପରେ ଟପ୍ପର ତାଲିକା ପ୍ରକାଶ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ୪୮ ମହିଳା ମହାବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଟପ୍ପର ତାଲିକା ପ୍ରକାଶ ପାଇ ନ ଥିବାରୁ ବିଭିନ୍ନ ଛାତ୍ର ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ତେବେ ସୋମବାର ଟପ୍ପର ତାଲିକା ପ୍ରକାଶ ପାଇବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଥିବା ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଏଭଳି କାର୍ଯ୍ୟକୁ ଏବିଭିପି ତୀବ୍ର ନିନ୍ଦା କରିଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି ଓ ୧୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ବଦଳିବା ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ତେବେ କର୍ତ୍ତୃପକ୍ଷ ଟପ୍ପର ତାଲିକା ପ୍ରକାଶ କରିବାରେ ବିଳମ୍ବ କରିବାକୁ ନେଇ ଏବିଭିପି ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ଶୀଘ୍ର ପ୍ରକାଶ କରିବା ପାଇଁ ଏବିଭିପିର ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଶାଖା ସଭାପତି ଲିନା ନନ୍ଦିତା ପରିଡ଼ା ଦାବି କରିଛନ୍ତି। ସେପଟେ ଅଖିଳ ଭାରତ ଛାତ୍ର ସଂଘ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛି। ତାଲିକା ପ୍ରକାଶ ନ କରିବା ପଛରେ ପରୀକ୍ଷା ନିୟନ୍ତ୍ରକଙ୍କର କିଛି ଭିତିରି ସ୍ବାର୍ଥ ରହିଥିବା ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଅଭିଯୋଗ କରିଛନ୍ତି। ବାରମ୍ବାର ପରୀକ୍ଷା ବିଭ୍ରାଟ ଅନେକ ମେଧାବୀ ଛାତ୍ରୀଙ୍କ ଭିବଷ୍ୟତକୁ ନଷ୍ଟ କରୁଥିବା ସତ୍ତ୍ୱେ ସରକାର ପରୀକ୍ଷା ନିୟନ୍ତ୍ରକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛି।

Share