ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା

ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନ ଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି।
ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ଗୁରୁବାର ଷ୍ଟେଟ୍‌ କ୍ୟାପ୍ଚର କମିଶନ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହ ଗୁପ୍ତା ବ୍ରଦର୍ସଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି, ୩ ଭାଇ ଅଜୟ ଗୁପ୍ତା, ଅତୁଲ ଗୁପ୍ତା ଏବଂ ରାଜେଶ ଗୁପ୍ତା ଭାରତରୁ ଆସି ଆମ ସରକାରୀ ବ୍ୟବସ୍ଥାରେ ଚତୁରତା ସହ ଅନୁପ୍ରବେଶ କରିଥିଲେ। ଗୁପ୍ତା ଭ୍ରାତା ନିଜକୁ ବିଭିନ୍ନ ଢାଞ୍ଚାରେ ଏପରି ଭାବେ ସ୍ଥାନିତ କରିଥିଲେ ଯେ, ସେମାନଙ୍କ ଗ୍ରହଣୀୟତା ଓ ପହଞ୍ଚ ବଢ଼ିଯାଇଥିଲା। ଏନେଇ ସତର୍କ କରାଯିବା ସତ୍ତ୍ୱେ ଧ୍ୟାନ ଦିଆଯାଇ ନ ଥିଲା। ଫଳରେ କୋଟି କୋଟି ର଼୍ୟାଣ୍ଡର ସରକାରୀ ସମ୍ପତ୍ତି ହାତେଇବାରେ ସେମାନେ ସଫଳ ହୋଇଥିଲେ। ଦେଶର ସର୍ବୋଚ୍ଚ ନେତାଙ୍କ ସହ ଏହି ପରିବାରର ସମ୍ପର୍କ ଥିବାରୁ ସେମାନଙ୍କ କାରନାମା ଉପରେ ନଜର ରଖାଯାଇ ନ ଥିଲା। ରାଷ୍ଟ୍ରପତିଙ୍କ ବନ୍ଧୁ ବୋଲି ଦୁର୍ନୀତିକୁ ନ ଦେଖିବା ପାଇଁ ଆମ ଆଖିରେ ସତେ ଯେମିତି ଅନ୍ଧପୁଟୁଳି ବନ୍ଧା ହୋଇଥିଲା ବୋଲି ରାମାଫୋସା କହିଛନ୍ତି।
ଯେ, ୧୯୯୪ରେ ନେଲସନ ମଣ୍ଡେଲା ଦକ୍ଷିଣ ଆଫ୍ରିକାରେ ଗଣତନ୍ତ୍ର ପ୍ରତିଷ୍ଠା କରି ରାଷ୍ଟ୍ରପତି ହୋଇଥିଲେ। ସେତେବେଳେ ଉତ୍ତର ପ୍ରଦେଶର ଶାହରନପୁରରୁ ଅଜୟ, ଅତୁଲ ଏବଂ ରାଜେଶ ଗୁପ୍ତାଙ୍କ ସହ ସେମାନଙ୍କ ସ୍ତ୍ରୀ ଓ ପିଲାମାନେ ସେଠାକୁ ଯାଇ ପ୍ରଥମେ ଏକ ଜୋତା ଦୋକାନ କରିଥିଲେ। ପରେ ସେମାନେ ସାହାରା କମ୍ପ୍ୟୁଟର୍ସ ନାମରେ ବ୍ୟବସାୟ କରି ଆଇଟି, ଖଣି, ମିଡିଆ ଭଳି କ୍ଷେତ୍ରରେ ବହୁ କୋଟି ର଼୍ୟାଣ୍ଡର ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ। ଜାକବ ଜୁମା ରାଷ୍ଟ୍ରପତି ହେବା ପରେ କ୍ରମଶଃ ସେମାନେ ସରକାରଙ୍କ ସହ ଘନିଷ୍ଠତା ବଢ଼ାଇ ପ୍ରଭାବଶାଳୀ ହେବାରେ ଲାଗିଲେ। ଇତିମଧ୍ୟରେ ଜୁମା ଜେଲ୍‌ ଯାଇଥିବାବେଳେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ପାଇଁ ଏହି ୩ ଭାଇଙ୍କୁ ଦାୟୀ କରାଯାଉଛି। ଏବେ ଦୁବାଇରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ଗୁପ୍ତା ବ୍ରଦର୍ସଙ୍କୁ ଦକ୍ଷିଣ ଆଫ୍ରିକାକୁ ଫେରାଇଆଣି ଆପରାଧିକ ମାମଲା ଚଳାଇବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Share